
କୋରାପୁଟ, ୦୪/୧୧/୨୦୨୬: କୋରାପୁଟ ବନଖଣ୍ଡ ଅନ୍ତର୍ଗତ ସେମିଳିଗୁଡ଼ା ବନାଞ୍ଚଳରେ ଏକ ବାଘର ଚଳପ୍ରଚଳ ଦେଖିବାକୁ ମିଳିଛି। ଏହି ବାଘଟି ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରୁ ଆସି ସେମିଳିଗୁଡ଼ା ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ଚଳପ୍ରଚଳ କରୁଥିବା ନେଇ କୋରାପୁଟ ବନଖଣ୍ଡ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ବାଘ ଉପସ୍ଥିତି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ପକ୍ଷରୁ ଜାରି ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ବନ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆଖପାଖ ଗ୍ରାମଗୁଡ଼ିକରେ ମାଇକ୍ ଯୋଗେ ବ୍ୟାପକ ସଚେତନତା ଓ ସତର୍କତା ବାର୍ତ୍ତା ପ୍ରଚାର କରାଯାଉଛି। ଏଥିସହ ରାତ୍ରିକାଳୀନ ପାଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯାଇଛି।
ଗ୍ରାମବାସୀମାନଙ୍କୁ ସର୍ବଦା ସତର୍କ ରହିବା, ବିପଦପୂର୍ଣ୍ଣ ଘଞ୍ଚ ଜଙ୍ଗଲ ଅଞ୍ଚଳକୁ ଏକାକୀ ନଯିବା ଏବଂ ବାଘକୁ କୌଣସି ପ୍ରକାରେ ହଇରାଣ ନ କରିବା କିମ୍ବା ତା’ର ନିକଟତର ନହେବା ପାଇଁ ପରାମର୍ଶ ଦିଆଯାଇଛି। ବାଘର ଗତିବିଧି ଉପରେ ନିରନ୍ତର ନଜର ରଖିବା, ତାହାର ଚଳପ୍ରଚଳ ପଥ ଚିହ୍ନଟ କରିବା ଓ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ (RRT) ଏବଂ ବନ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ସଜାଗ ରଖାଯାଇ ନିୟୋଜିତ କରାଯାଇଛି।
କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ବନ ବିଭାଗ ସମଗ୍ର ପରିସ୍ଥିତି ଉପରେ ଅତି ନିକଟରୁ ତୀକ୍ଷ୍ଣ ନଜର ରଖିଛି। ଜନସାଧାରଣ ବନ ବିଭାଗ କର୍ମଚାରୀଙ୍କ ନିର୍ଦ୍ଦେଶ ଓ ପରାମର୍ଶ ମାନି ଚଳିବା ସହ ବାଘକୁ କେଉଁଠାରେ ଦେଖିଲେ, ତାହାର ପାଦଚିହ୍ନ କିମ୍ବା କୌଣସି ଅସ୍ୱାଭାବିକ ଗତିବିଧି ଲକ୍ଷ୍ୟ କଲେ ଭୟଭୀତ ନହୋଇ ତୁରନ୍ତ ନିକଟସ୍ଥ ବନ ବିଭାଗ କର୍ମଚାରୀଙ୍କୁ ଜଣାଇବାକୁ କୋରାପୁଟ ବନଖଣ୍ଡ ପକ୍ଷରୁ ଅନୁରୋଧ କରାଯାଇଛି।
