ପିଆଜ ରପ୍ତାନି ଉପରେ ୪୦% ଶୁଳ୍କ ଲାଗୁ

add-all

onion

ନୂଆଦିଲ୍ଲୀ: ସରକାରଙ୍କୁ ଘାରିଲା ପିଆଜ ଦର ବୃଦ୍ଧି ଚିନ୍ତା। ଦର ବୃଦ୍ଧିକୁ ରୋକିବା ଏବଂ ଘରୋଇ ବଜାରରେ ଯୋଗାଣରେ ସୁଧାର ଆଣିବା ପାଇଁ ଭାରତ ସରକାର ଶନିବାର ପିଆଜ ରପ୍ତାନି ଉପରେ ୪୦% ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ରପ୍ତାନି ଶୁଳ୍କ ତୁରନ୍ତ ଲାଗୁ କରାଯିବ। ଏହାର ବୈଧତା ୨୦୨୩ ଡିସେମ୍ବର ୩୧ ଯାଏଁ ରହିବ।

ଅଗଷ୍ଟରେ ପିଆଜ ଦର ବୃଦ୍ଧି ଜାରି ରହିଥିବା ବେଳେ ସେପ୍ଟେମ୍ବରରେ ଏହା ଉତ୍ତରକୁ ଯିବାର ସମ୍ଭାବନା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ଖାଉଟି ବ୍ୟାପାର ବିଭାଗର ଓ୍ବେବସାଇଟରେ ଉପଲବ୍ଧ ମୂଲ୍ୟ ତଥ୍ୟ ଅନୁଯାୟୀ, ଶନିବାର ଦିନ ପିଆଜର ସର୍ବଭାରତୀୟ ଦୈନିକ ହାରାହାରି ଖୁଚୁରା ମୂଲ୍ୟ କିଲୋ ପିଛା ୩୦.୭୨ ଟଙ୍କା ରେକର୍ଡ କରାଯାଇଛି, ଯାହା ଗତବର୍ଷର ୨୫.୪୪ ଟଙ୍କା ତୁଳନାରେ ୨୦.୭୫% ଅଧିକ। ଏକ ମାସ ପୂର୍ବରୁ ପିଆଜର ସର୍ବଭାରତୀୟ ଦୈନିକ ଖୁଚୁରା ଦର କିଲୋ ପିଛା ୨୭ ଟଙ୍କା ୨୧ ପଇସା ଥିଲା। ଘରୋଇ ବଜାରରେ ପିଆଜ ଦର ବୃଦ୍ଧି ଯୋଗୁ ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ବାଣିଜ୍ୟ ବିଭାଗ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୩ ଏପ୍ରିଲରୁ ଜୁନ୍ ମଧ୍ୟରେ ୬.୩୮ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ରପ୍ତାନି ହୋଇଛି, ଯାହାକି ଗତବର୍ଷ ଏହି ସମୟ ମଧ୍ୟରେ ରପ୍ତାନି ହୋଇଥିବା ୫.୦୪ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ତୁଳନାରେ ୨୬.୫୧% ଅଧିକ।

ଚଳିତ ବର୍ଷ ଜୁନ୍ ମାସରେ ଭାରତ ୨.୯୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ରପ୍ତାନି କରିଛି, ଯାହା ୨୦୨୨ ଜୁନ୍ ସୁଦ୍ଧା ରପ୍ତାନି ହୋଇଥିବା ପରିମାଣଠାରୁ ୮୯.୫୬% ଅଧିକ।

୨୦୨୩ ଏପ୍ରିଲ-ଜୁନ୍ ଅବଧିରେ ଭାରତ ୬୫ଟି ଦେଶକୁ ପିଆଜ ରପ୍ତାନି କରିଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ ୧.୩୯ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ବାଂଲାଦେଶକୁ ପଠାୟାଇଥିଲା। ବାଂଲାଦେଶ ବ୍ୟତୀତ ମାଲେସିଆ (୧.୦୭ ଲକ୍ଷ ମେଟ୍ରିକ୍ ଟନ୍), ସଂଯୁକ୍ତ ଆରବ ଏମିରେଟ୍ସ (୦.୯୦ ଲକ୍ଷ ମେଟ୍ରିକ୍ ଟନ୍), ଶ୍ରୀଲଙ୍କା (୦.୮୦ ଲକ୍ଷ ମେଟ୍ରିକ୍ ଟନ୍) ଏବଂ ନେପାଳ (୦.୩୯ ଲକ୍ଷ ମେଟ୍ରିକ୍ ଟନ୍) ଭାରତୀୟ ପିଆଜର ଶୀର୍ଷ ପାଞ୍ଚଟି ଗନ୍ତବ୍ୟସ୍ଥଳୀ ମଧ୍ୟରେ ରହିଛି। କେନ୍ଦ୍ର ସରକାର ଅଗଷ୍ଟ ୧୧ରୁ ନିଜ ବଫର ଷ୍ଟକରୁ ପିଆଜ ଛାଡ଼ିବା ଆରମ୍ଭ କରିଥିବା ସୂଚନା ରହିଛି।

୨୦୨୩-୨୪ ଋତୁରେ ୩ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ବଫର ଷ୍ଟକ୍ ଭାବେ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ୨୦୨୨-୨୩ରେ ୨.୫୧ ଲକ୍ଷ ମେଟ୍ରିକ୍ ଟନ୍ର ବଫର୍ ଷ୍ଟକ୍ ରଖାଯାଇଥିଲା।


Post Views: 7

ad-week
Leave A Reply

Your email address will not be published.