
ଦାରିଙ୍ଗବାଡ଼ି,୭/୯, କନ୍ଧମାଳ ଜିଲ୍ଲା କୋଠଗଡ଼ ବ୍ଳକ ଅନ୍ତର୍ଗତ ପକାରୀ ଉଚ୍ଚ ବିଦ୍ୟାଳୟରେ ଫାଇଭ ଟି ବିଭାଗରେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରିଥିବା ଠିକାଦାର ଅର୍ଥ ପାଇନଥିବାରୁ ଠିକାଦାର ଆଜି ଫାଟକରେ ତାଲାପକାଇ ଥିଲେ । ଫଳରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ବାହାରେ ତଥା ସାଇକେଲ ଷ୍ଟାଣ୍ଡ ଓ ପଡ଼ିଆରେ ବସାଇ ଶିକ୍ଷକ ଶିକ୍ଷା ଦାନ କରୁଥିବା ଦେଖିବାକୁ ମିଳିଥିଲା । ସୂଚନା ଠିକାଦାର ଅଲେଖ ନାୟକ ଓ ତାର ସହଯୋଗୀ ୨୦୨୧ସାଲରେ ଉକ୍ତ ଫାଇଭ ଟି ସରକାରୀ ପକାରୀ ଉଚ୍ଚ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ବ୍ଳକ ପ୍ରଶାସନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥିଲେ। ହେଲେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ଅର୍ଥ ପାଇନଥିବାରୁ ବିଭାଗଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ। କେହି ନଶୁଣିବାପରେ ଶେଷରେ ଗତ ୨୫.୮.୨୦୨୩ ତାରିଖରେ ଲିଖତ ଭାବେ ଜଣାଇଥିଲେଯେ ଦଶ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଗଲେ ବିଦ୍ୟାଳୟରେ ତାଲା ପକାଇ ବନ୍ଦ କରି ପ୍ରତିବାଦ କରିବେ। ଆଜି ସକାଳ ୯.୩୦ ଘଣ୍ଟାରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଥିଲେ । ଫଳରେ ଛାତ୍ରଛାତ୍ରୀଙ୍କୁ ସାଇକେଲ ଷ୍ଟାଣ୍ଡ ଓ ପଡ଼ିଆରେ ବସାଇ ଶିକ୍ଷକ ମାନେ ଶିକ୍ଷା ଦାନ କରିଥିଲେ। ଅପରାହ୍ନରେ ବ୍ଳକ ଏକାଉଣ୍ଟାଣ୍ଟ ସଞ୍ଜୟ ରାଉଳ ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ କୁମାର ମହାପାତ୍ର ବିଦ୍ୟାଳୟରେ ପହଞ୍ଚି ଆଲୋଚନା କରି ଫାଟକରେ ପଡ଼ିଥିବା ତାଲା ଖୋଲି ଛାତ୍ର ଛାତ୍ରୀଙ୍କୁ ଶ୍ରେଣୀ କୋଠରୀଙ୍କୁ ପ୍ରବେଶ କରାଇ ଥିଲେ।