
ଦାରିଙ୍ଗବାଡ଼ି (୮/୯) : ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ଶ୍ରାନିକେତା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ, ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ବ୍ଲକସ୍ତରୀୟ କ୍ରୀଡ଼ା ସଂଗଠନ ସଭାପତି ତଥା ବିଇଓ ରାସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶ୍ରାନିକେତା ଗ୍ରାମ ପଞ୍ଚାୟତ ସରପଞ୍ଚ ଗଙ୍ଗାଧର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସିମନବାଡ଼ି ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ସାଧୁ ନାୟକ ଯୋଗଦେଇ ବିଭିନ୍ନ ବିଦ୍ୟାଳୟରୁ ଅଂଶ ଗ୍ରହଣ କରିବାକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବ୍ଳକର ୨୪ଟି ଉଚ୍ଚ ବିଦ୍ୟାଳୟର ୧୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଛାତ୍ରଛାତ୍ରୀ କ୍ରୀଡ଼ା ମଶାଲ ଆଣି ପ୍ରତିଯୋଗିତା ସ୍ଥଳରେ ପହଞ୍ଚାଇ କ୍ରୀଡ଼ା ସଂଗଠନ ସଭାପତିଙ୍କୁ ହସ୍ତାନ୍ତର କରିଥିଲେ । ମୁଖ୍ୟ ଅତିଥି କ୍ରୀଡ଼ା ପତାକାକୁ ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର କ୍ରୀଡ଼ା ଦକ୍ଷତା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ଆୟୋଜକ ଭାବେ ଶ୍ରାନିକେତା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ, ମଞ୍ଚ ପରିଚାଳନାରେ ଡା ବି.ଆର୍.ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ରଶ୍ମିରଞ୍ଜନ ତ୍ରିପାଠୀ ଓ ବ୍ଲକସ୍ତରୀୟ କ୍ରୀଡ଼ା ସଂଗଠନ ସଂପାଦକ ସାମନ୍ତ ପ୍ରଧାନଙ୍କ ନେତୃତ୍ୱରେ ୨୪ଟି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ସହଯୋଗରେ ପରିଚାଳନା ହୋଇଥିଲା । ଏହି ପ୍ରତିଯୋଗିତା ଦୁଇଦିନ ଧରି ଚାଲି ଆସନ୍ତା କାଲି ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି ।