ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ମା’…

add-all

maa

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବି କରି ଆଜି ତାଙ୍କ ମା’ ସୁଜ୍ଞାନୀ ବିଦ୍ୟାଳୟରେ ତାଲା ପକାଇ ପୁଣି ଧାରଣାରେ ବସିଛନ୍ତି। ଝିଅ ମୃତ୍ୟୁ ଘଟଣା ଅପମୃତ୍ୟୁ ନୁହେଁ, ଏହା ଏକ ଦୁଷ୍କର୍ମ ଓ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଦାବି କରିଛନ୍ତି। ହେଲେ ୬ ମାସ ବିତିଲା ପରେ ବି କୌଣସି କାର୍ଯ୍ୟାନୁ‌ଷ୍ଠାନ ହେଲାନି ବୋଲି ସେ ଅଭିଯୋଗ କରିଛନ୍ତି। ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ସେ ଧାରଣା ଜାରି ରଖିବେ ବୋଲି କହିଛନ୍ତି।

ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳର ସୌଦାମିନୀ ରଇତ ଜବାହର ନବୋଦୟ ବିଦ୍ୟାଳୟରେ ୯ମ ଶ୍ରେଣୀ ପଢୁଥିଲେ। ୨୦୨୩ ଫେବ୍ରୁଆରି ୨୦ ତାରିଖରେ ତାଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ପରିସରରୁ ମିଳିଥିଲା। ସୌଦାମିନୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲେକେ ଅଭିଯୋଗ କରିଥିଲେ। ପାରଳାଖେମୁଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ସୌଦାମିନୀଙ୍କ ମାଆ ସୁଜ୍ଞାନୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସୁଜ୍ଞାନୀଙ୍କ ଧାରଣାକୁ ସିପିଆଇ(ଏମ) ପକ୍ଷରୁ ସମର୍ଥନ କରାଯାଇଥିଲା। ଧାରଣା ଦୀର୍ଘ ୪୬ ଦିନ ଚାଲିବା ପରେ ପୁଲିସ ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ ବୋଲି ଘୋଷଣା ହୋଇଥିଲା। ସେହି କ୍ରମରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚି ତଦନ୍ତ କରିଥିଲେ। ମୃତ ସୌଦାମିନୀଙ୍କ ସହପାଠୀଙ୍କୁ ପଚରାଉଚରା କରାଯିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସୌଦାମିନୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଜେରା କରା ଯାଇଥିଲା। ହେଲେ, ଆଜି ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଫଳରେ ସୌଦାମିନୀଙ୍କ ମାଆ ଆଜି ସକାଳ ୯ଟା ବେଳେ ପୁଣି ବିଦ୍ୟାଳୟକୁ ଯାଇ ଫାଟକରେ ତାଲା ପକାଇ ଦେଇଥିଲେ ଏବଂ ଫାଟକ ସମ୍ମୁଖରେ ଧାରଣାରେ ବସି ନ୍ୟାୟ ଦାବି କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଦିନ ୧୨ଟା ବେଳେ କ୍ଲାସ ଛୁଟି କରିଦେଇଥିଲେ। ଖବର ପାଇ ପାରଳାଖେମୁଣ୍ଡି ଏସ୍‌ଡିପିଓ ଓ ପାରଳା ଥାନା ପୁଲିସ ସମେତ ପ୍ରଶାସନିକ ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ। ତେବେ, ତାଙ୍କ ଝିଅକୁ ନ୍ୟାୟ ନମିଳିବା ଯାଏଁ ସେ ଧାରଣା ଜାରି ରଖିବେ ବୋଲି ସୁଜ୍ଞାନୀ ପ୍ରକାଶ କରିବା ସହ ଧାରଣାରେ ବସି ରହିଛନ୍ତି।

Post Views: 5

ad-week
Leave A Reply

Your email address will not be published.