
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗିଡ଼ିପାବାଲି ଗାଁର ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଥିବା ବେଳେ ଆଜି ଭୂସ୍ଖଳନ ସ୍ଥଳରୁ ଆଉ ୫ ଜଣଙ୍କ ମୃତଦେହ ଠାବ ହୋଇଛି । ଆଜି ପ୍ରଥମେ ୩ ଜଣଙ୍କ ମୃତଦେହ ଠାବ ହୋଇଥିଲା । ଏହା ପରେ ଆଉ ୨ ଜଣଙ୍କ ମୃତଦେହ ଠାବ କରିଛି ଉଦ୍ଧାରକାରୀ ଦଳ । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ପୁଲିସ ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ ବାପାମାଆ ଓ ୩ ଛୁଆ ରହିଛନ୍ତି । ଉଦ୍ଧାର ପରେ ସମସ୍ତଙ୍କ ଅନ୍ତିମ ସଂସ୍କାର କରିଛି ପ୍ରଶାସନ ।
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ- ଗଞ୍ଜାମ ସୀମାନ୍ତ ଗାଙ୍ଗୁବାଲି ପାହାଡ଼ରେ ବଡ଼ ଭୂସ୍ଖଳନ ହୋଇଥିଲା । ପାହାଡ଼ରୁ ଖସିଥିବା ପଥର ଓ ମାଟି ଅତଡ଼ାରେ ଧୋଇ ହୋଇଯାଇଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁ। ସପ୍ତାହେ ହେଲାଣି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରେଳବାଇ ସମେତ ବିଭିନ୍ନ ବିଭାଗର ପ୍ରାୟ ୧୫୦ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ହେଲେ ଦୁର୍ଗମ ରାସ୍ତା ଓ ଘଞ୍ଚ ଜଙ୍ଗଲ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଥିବା ନେଇ ପ୍ରକାଶ କରିଛି ପ୍ରଶାସନ । ଏହା ସହ ପାଣିପାଗ ଖରାପ ଯୋଗୁଁ ଉଦ୍ଧାର କାର୍ଯ୍ୟ ସାମୟିକ ଭାବେ ବନ୍ଦ ରହିବା ପରେ ଗୁରୁବାର ପୁଣି ଥରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଓ ଡିଭିଏଫ୍ ଯବାନଙ୍କ ଦ୍ୱାରା ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।
