
ନିମାପଡା : ନିମାପଡ଼ା ଥାନାରେ ନୂତନ ଆଇ.ଆଇ.ସି ଭାବେ ବାମଦେବ ସ୍ବାଇଁ ଯୋଗ ଦେବା ପରେ ନିଶା ବେପାରୀ ଏବଂ ଅପରାଧୀ ମାନଙ୍କର ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଥିବା ଜଣାପଡିଛି । କାର୍ଯ୍ୟଭାର ସମ୍ଭାଳିବାର ଦେଢ଼ମାସ ଭିତରେ ନିମାପଡ଼ାରେ ଚୋରି, ଡକାୟତିକୁ ନିୟନ୍ତ୍ରଣ କରିବା ସହ ଅନେକ ନିଶା ବେପାରୀଙ୍କୁ ଗିରଫ କରିବାରେ ସଫଳତା ଅର୍ଜନ କରିଛନ୍ତି । ଏହି ସମୟ ମଧ୍ୟରେ ବିଭିନ୍ନ ଅପରାଧରେ ଜଡିତ ୧୬ ଜଣ ୱାରେଣ୍ଟ ଫରୱାର୍ଡ ହୋଇଥିବା ବେଳେ ୨ଟି ବଡ ଧରଣର ବ୍ରାଉନସୁଗାର ନିଶା ବେପାରୀଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ପ୍ରାୟ ୫ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି । ଅପରାଧକୁ ପ୍ରଶୟ ଦିଆଯିବ ନାହିଁ, ନିମାପଡ଼ା ଭଳି ଏକ ଶାନ୍ତ ପରିବେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା, ଚୋରି ଡକାୟତିକୁ ରୋକିବା, ଥାନାକୁ ଆସୁଥିବା ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରି ନିଷ୍ଠାର ସହ କାର୍ଯ୍ୟ କରାଯାଉଛି ଏବଂ ଏହି ପ୍ରକ୍ରିୟା ଜାରି ରହିବ ବୋଲି
ଆଇଆଇସି ବାମଦେବ ସ୍ୱାଇଁ କହିଛନ୍ତି । ଥାନାରେ ଯଦି କିଛି କାମ ନାହିଁ ଅଫିସର ମାନେ ଥାନା ଭିତରେ ଖାଲିରେ ବସି ରହିବେନି, ଦିନରାତି ପାଟ୍ରୋଲିଙ୍ଗ ସହ ଅପରାଧ ପ୍ରବଣ ସ୍ଥାନ ମାନଙ୍କରେ ଅଧିକ ନଜର ରଖାଯିବ ବୋଲି ଏସ.ଡି.ପି.ଓ. ଦେବାଶିଷ ମିଶ୍ର କହିଛନ୍ତି । ନିମାପଡ଼ା ଥାନା ପକ୍ଷରୁ
ଜନସାଧାରଣଙ୍କ ସୁବିଧା ନିମନ୍ତେ ଟୋଲ ଫ୍ରି ନମ୍ବର ୧୦୦ ବ୍ୟତୀତ ଆଉ ୨ଟି ନମ୍ବର ଜାରି କରାଯାଇଛି । ଲ୍ୟାଣ୍ଡ ଲାଇନ ନମ୍ବର ୦୬୭୫୮- ୨୫୦୨୨୩ ଏବଂ ସେଲ ଫୋନ ନମ୍ବର ୯୪୩୮୯ ୧୬୩୨୯ ରେ ସାଧାରଣ ଲୋକେ ଥାନା ଆଇଆଇସିଙ୍କ ସହ ସିଧାସଳଖ କଥା ହୋଇ ପାରିବେ ।