ଏଡିଟର୍ସ ଗିଲ୍ଡ ମାମଲା, କେମିତି ଗୋଟିଏ ରିପୋର୍ଟ ଦେବା ଅପରାଧ? : ସୁପ୍ରିମକୋର୍ଟ

add-all

sc

ମଣିପୁର ହିଂସା ଉପରେ ଗୋଟିଏ ରିପୋର୍ଟ ଦେଇଥିବା ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କ ଅନ୍ତରୀଣ ଜାମିନକୁ ବଢ଼ାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଏଡିଟର୍ସ ଗିଲ୍ଡର ୪ ଜଣ ସାମ୍ବାଦିକ ହିଂସା ଉପରେ ଗୋଟିଏ ରିପୋର୍ଟ ଦେଇଥିଲେ। ଏହାକୁ ବିରୋଧ କରି ମଣିପୁର ସରକାର ପୁଲିସ୍‌ରେ ଅଭିଯୋଗ କରିଥିଲେ ଓ ପୁଲିସ୍‌ ଏଫଆଇଆର ମଧ୍ୟ ରୁଜୁ କରିଥିଲା।

ତେବେ ଗୋଟିଏ ଘଟଣା ଉପରେ ଗୋଟିଏ ରିପୋର୍ଟ ଦେବେ କେମିତି ଅପରାଧ ବୋଲି ଆଜି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ଏଥିସହ ରିପୋର୍ଟ ଯୋଗୁ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି ହେବ ବୋଲି ଏଫଆଇଆରରେ ଦର୍ଶାଯାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଏହାର କୌଣସି ପ୍ରମାଣ ମିଳୁନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।

ମଣିପୁରରେ ସ୍ଥାନୀୟ ଗଣମାଧ୍ୟମ ଗୁଡ଼ିକ ଏକପାଖିଆ ରିପୋର୍ଟ ପ୍ରକାଶ କରୁଥିବା ଅଭିଯୋଗ ହୋଇଥିଲା। ଏହାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଏଡିଟର୍ସ ଗିଲ୍ଡର ଟିମ ଘଟଣା ସ୍ଥଳକୁ ଯାଇଥିଲା। ସେମାନେ ଯାଞ୍ଚ କରିବା ପରେ ରିପୋର୍ଟ ଦେଇଥିଲେ। କିନ୍ତୁ ସରକାର ଏହାକୁ ଖଣ୍ଡନ କରିବା ସହ ଏହା ଏକ ପ୍ରାୟୋଜିତ ରିପୋର୍ଟ ବୋଲି ଅଭିଯୋଗ କରିଥିଲେ।

ଶୁକ୍ରବାର ଶୁଶାଣି ବେଳେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି ଯେ “ପ୍ରାଥମିକ ଭାବେ ଜଣାପଡ଼ୁଛି ଯେ ଏଫଆଇଆରରେ ଲେଖାଯାଇଥିବା ଅପରାଧର କୌଣସି ସତ୍ୟତା ନାହିଁ। ଅଭିଯୋଗ ଅନୁସାରେ ଅପରାଧ ହୋଇଥିବା ଜଣାପଡ଼ୁନି। କିନ୍ତୁ ଏହି ଅଭିଯୋଗକୁ ଆଧାର କରି ଏଫଆଇଆର କରାଯାଇଛି।”

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ସଲିସିଟର ଜେନେରାଲ ଓ ଆର୍ମି ପକ୍ଷରୁ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆକୁ ଡକା ଯାଇଥିଲା। ଆର୍ମି କହିଛି ଯେ ସେଠାରେ ପକ୍ଷପାତିତାପୂର୍ଣ୍ଣ ରିପୋର୍ଟିଂ ହେଉଛି। ଏହାପରେ ସେମାନେ ଗ୍ରାଉଣ୍ଡକୁ ଯାଇଥିଲେ ଓ ରିପୋର୍ଟ କରିଥିଲେ। ସେମାନେ ଭୁଲ କିମ୍ବା ଠିକ ହୋଇ ପାରନ୍ତି। ଏହା ହିଁ ବାକ ସ୍ୱାଧୀନତା।”

ସୁପ୍ରିମକୋର୍ଟ କହିଛନ୍ତି, “ଗୋଟିଏ ରିପୋର୍ଟ ବା ସ୍ତମ୍ଭରେ ମିଥ୍ୟା ବକ୍ତବ୍ୟ ଦେବା ବିଦ୍ୱେଶ ସୃଷ୍ଟି କରୁଥିବା ଧାରା ୧୫୩ଏ ଅଧୀନରେ ଅପରାଧ ନୁହେଁ। ଏହାକୁ ଭୁଲ ବକ୍ତବ୍ୟ କୁହାଯାଇ ପାରିବ। ପୂରା ଦେଶରେ ବହୁ ସାମ୍ବାଦିକ ଏବେ ଭୁଲ ବକ୍ତବ୍ୟ ଦେଉଛନ୍ତି। କ’ଣ ସମସ୍ତଙ୍କୁ ଆମେ ଦଣ୍ଡ ଦେବା? ମତାମତ ରଖିବାର ଅଧିକାର ସାମ୍ବାଦିକମାନଙ୍କର ରହିଛି। ଏଫଆଇଆରରେ ଥିବା ଅପରାଧ କଥା କେଉଁଠୁ ଆସିଲା।? ଏହା କେବଳ ଗୋଟିଏ ରିପୋର୍ଟ। କିନ୍ତୁ ଆପଣ ଏମିତି ସବୁ ଧାରା ଲଗାଇଛନ୍ତି, ଯାହା ପ୍ରମାଣିତ ହେଉନାହିଁ।”

ଏହାପରେ ଖଣ୍ଡପୀଠ ଅଭିଯୋଗକୁ ପ୍ରଶ୍ନ କରିଥିଲେ ଯେ କାହିଁକି ତାଙ୍କ ଏଫଆଇଆର ରଦ୍ଦ କରା ନ ଯିବ? ଏହାର ଜବାବ ଦେବାକୁ ସର୍ବୋଚ୍ଚ ଅଦାଲତ ୨ ସପ୍ତାହର ସମୟ ଦେଇଛନ୍ତି। ଏଥିସହ ୪ ସାମ୍ବାଦିକଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ବୃଦ୍ଧି କରିଛନ୍ତି ଓ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରଣ କରିଛନ୍ତି।

ad-week
Leave A Reply

Your email address will not be published.