ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ…

add-all

cong

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ। ଯାହାକୁ ନେଇ ଦଳୀୟ ନେତା ବେଶ ଉତ୍ସାହିତ। ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ କେବେଠୁ ପ୍ରସ୍ତୁତି କରାଯାଉଛି। ରାଜ୍ୟର ପ୍ରତ୍ୟେକ ପଂଚାୟତ ଓ ଗାଁ ଗାଁରେ ଏହି ଅଭିଯାନକୁ ବ୍ୟାପକ କରିବାକୁ ଯୋଜନା କରିଛି ଦଳ। ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ମାଧ୍ୟମରେ ଦଳ ସପକ୍ଷରେ ଏକ ବଡ଼ ବାତାବରଣ ତିଆରି କରିବାକୁ ଦଳ ଯୋଜନା କରିଛି।

ସେଥିପାଇଁ ଦଳ ପକ୍ଷରୁ ଏକ ଲିଫଲେଟ ପ୍ରସ୍ତୁତ କରାଯାଇଛି। ଦଳୀୟ ନେତା ଓ କର୍ମୀମାନେ ଏହି ଲିଫଲେଟକୁ ଘରେ ଘରେ ପହଞ୍ଚାଇବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ରାଜ୍ୟ ପାଇଁ କଣ କଣ କରିଛି ସେ କଥା ଲୋକଙ୍କୁ ମନେ ପକେଇବା ସହ ବିଜେଡି ଓ ବିଜେପି କିଭଳି ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ସେ ନେଇ ଅବଗତ କରାଯିବ ବୋଲି ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏସବୁ ମଧ୍ୟରେ କୃଷି କୃଷକ ପ୍ରସଙ୍ଗ, ବେକାରୀ ଓ ନିଯୁକ୍ତି ପ୍ରସଙ୍ଗ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବସ୍ତିବାସିନ୍ଦା ଓ ବାସହୀନ ଗରିବ ସମ୍ପ୍ରଦାୟ, ବିଜେଡି ସରକାର ସମୟରେ ହୋଇଥିବା ଦୁର୍ନୀତି ଏବଂ ବିଜେପିର ପ୍ରତିଶ୍ରୁତି ଓ ପ୍ରତାରଣା ସମ୍ପର୍କରେ କଂଗ୍ରେସ ଲିଫଲେଟ ଜରିଆରେ ଲୋକଙ୍କୁ ଅବଗତ କରିବ।

ଏହି କାର୍ଯ୍ୟକ୍ରମକୁ ନେଇ ଦଳ ସଫଳତାର ଆଶା ରଖିଛି। ଏପରିକି ଏହି କାର୍ଯ୍ୟକ୍ରମ ପରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କର ଓଡ଼ିଶାରେ ବିଭିନ୍ନ ପ୍ରାନ୍ତରେ ବଡ଼ ସଭା କରିବାକୁ ଯୋଜନା ରଖିଛି ଦଳ।

ତେଣୁ ଏସବୁ କରି ଅନ୍ୟ ରାଜ୍ୟ ଭଳି ଦଳ ଓଡ଼ିଶାରେ ଏକ ବଡ଼ ନିର୍ବାଚନ ବାତାବରଣ ପ୍ରସ୍ତୁତ କରିବାକୁ ଲକ୍ଷ ରଖିଛି । ରାଜ୍ୟର ଶାସକ ଦଳ ବିଜେଡି ପୂର୍ବରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରୁଥିବା ବେଳେ ଏବେ ମଧ୍ୟ ଏହାକୁ ବ୍ୟାପକ କରିବାକୁ କାର୍ଯ୍ୟ ଆରମ୍ଭ କରିଛି। ତେଣୁ ଏଭଳି ସ୍ଥିତିରେ କଂଗ୍ରେସର ଘରେ ଘରେ ହାତ କାର୍ଯ୍ୟକ୍ରମକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି ତା ଉପରେ ନଜର।

ad-week
Leave A Reply

Your email address will not be published.