ଆପ୍‌ ଇଣ୍ତିଆ ମେଣ୍ଟ ପ୍ରତି ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ : କେଜ୍ରିୱାଲ…

add-all

kej

ନୂଆଦିଲ୍ଲୀ : ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁଖପାଲ ଖଇରାଙ୍କ ଗିରଫଦାରୀକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଖଇରାଙ୍କୁ ପଞ୍ଜାବ ପୁଲିସ୍‌ ଗିରଫ କରିବା ପରେ ରାଜ୍ୟର କ୍ଷମତାସୀନ ଆପ୍‌ ଓ କଂଗ୍ରେସ ମଧ୍ୟ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଉଭୟ ଦଳ ଇଣ୍ଡିଆ ମେଣ୍ଟରେ ଅଛନ୍ତି।
ଏସବୁ ଭିତରେ ଆଜି ଇଣ୍ଡିଆ ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ ଆପ୍‌ ଇଣ୍ତିଆ ମେଣ୍ଟ ପ୍ରତି ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଆପ ଇଣ୍ଡିଆ ମେଣ୍ଟରୁ ଅଲଗା ହେବ ନାହିଁ ବୋଲି ସେ କହିଛନ୍ତି।
ତେବେ ତାଙ୍କ ଦଳ ଡ୍ରଗ୍ସ ବିରୋଧୀ ଲଢ଼େଇ ପାଇଁ ମଧ୍ୟ ପ୍ରତିବଦ୍ଧ ବୋଲି କେଜ୍ରିୱାଲ ମତ ରଖିଛନ୍ତ। ସେ କହିଛନ୍ତି, “ମୁଁ ଜାଣିବାକୁ ପାଇଛି ଯେ ପଞ୍ଜାବ ପୁଲିସ୍ ଗତକାଲି କଂଗ୍ରେସ ନେତାଙ୍କୁ ଗିରଫ କରିଛି। ମୋ ପାଖରେ ବିସ୍ତୃତ ତଥ୍ୟ ନାହିଁ। ଆପଣମାନେ ପୁଲିସ୍‌ ଠାରୁ ଏ ସମ୍ପର୍କରେ ସୂଚନା ପାଇ ପାରିବେ।
ଆମେ ଡ୍ରଗ୍ସ ବିରୋଧରେ ଲଢ଼େଇ ଆରମ୍ଭ କରିଛୁ। ମୁଁ କୌଣସି ଗୋଟିଏ ମାମଲାରେ ମତ ରଖିପାରିବି ନାହିଁ। କିନ୍ତୁ ଆମେ ନିଶା କାରବାରକୁ ବନ୍ଦ କରିବାକୁ ପ୍ରତିଶ୍ରୁତିବଦ୍ଧ।”
୨୦୧୫ ମସିହାରେ ରୁଜୁ ହୋଇଥିବା ଗୋଟିଏ ଡ୍ରଗ୍ସ ମାମଲାରେ ଖଇରାଙ୍କୁ ଗୁରୁବାର ପଞ୍ଜାବ ପୁଲିସ୍‌ ଗିରଫ କରିଥିଲା। ବିଧାୟକ ଓ ତାଙ୍କ ପରିବାରର ବିରୋଧ ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ସମୟରେ ପୁଲିସ ସାଦା ପୋଷାକରେ ଥିଲା। ସେହିପରି ପୁଲିସ୍‌ ଭ୍ୟାନରେ ବସିବା ବେଳେ ଖଇରା ହସୁଥିଲେ। ପଞ୍ଜାବର ଭୋଲାଥ ନିର୍ବାଚନମଣ୍ଡଳୀରୁ ନର୍ବାଚିତ ହୋଇଛନ୍ତି ସୁଖପାଲ ସିଂହ ଖଇରା। ଏଥିସହ ସେ ଅଲ୍ ଇଣ୍ଡିଆ କିସାନ କଂଗ୍ରେସର ମଧ୍ୟ ଅଧ୍ୟକ୍ଷ ଅଛନ୍ତି।

ad-week
Leave A Reply

Your email address will not be published.