ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ ମିଳିଲା ଅନୁମୋଦନ

add-all

metro

ଭୁବନେଶ୍ବର: ଦୈତନଗରୀ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ଏହି ଡିପିଆରକୁ ଅନୁମତି ଦେଇଥିବାବେଳେ ଆଗାମୀ ପ୍ରକ୍ରିୟା ସ୍ବରୂପ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଯୋଗ୍ୟ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଚୟନ କରିବା ଉପରେ ଗୁରୁତ୍ବ ଦେବା ପାଇଁ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ (ବିଏମଆରସି) ଯୋଜନା କରିଛି। ଅନ୍ୟପଟେ ଆସନ୍ତା ୧୮ ତାରିଖରେ ବିଏମଆରସିର ପ୍ରଥମ ବୋର୍ଡ ମିଟିଂ ବସିବ। ଏହି ବୋର୍ଡରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଛନ୍ତି। ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ, ପରିବହନ ସଚିବ, ଅର୍ଥ ସଚିବଙ୍କ ସହିତ ବିଏମଆରସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି।

ପ୍ରଥମ ବୋର୍ଡ ମିଟିଂରେ ଡିପିଆର ଅନୁମୋଦନ ସହିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି। ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ୟ୍ୟାୟରେ ଅତିରିକ୍ତ ବଜେଟରେ ୨୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ରାଜ୍ୟ ସରକାର ଆସନ୍ତା ୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରଖିଛନ୍ତି। ଏଥିପାଇଁ ବିଏମଆରସିକୁ ପ୍ରତି ବର୍ଷ ୧୫ ଶହ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ। ଗତ ଅଗଷ୍ଟ ମାସରେ ଡିଏମଆରସି ପକ୍ଷରୁ ରାଜ୍ୟ ସରକାରଙ୍କୁ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆର ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.