ଦାରିଙ୍ଗବାଡ଼ି,୬/୧୦ : ସ୍ବାଧୀନତାର ୭୬ବର୍ଷ ବିତିଯାଇଥିଲେ ସୁଧା ଆଜି ବି ଅନ୍ଧାରରେ ଲୋକେ ଜଙ୍ଗଲି ଜୀବନ ବିତାଉଛନ୍ତି । ଏଥିପ୍ରତି ସରକାରୀ ବାବୁଙ୍କ ଦୃଷ୍ଟି ପଡୁ ନାହିଁ। ଏଭଳି ଏକ ଗାଁ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୂର ଗ୍ରାମ ପଞ୍ଚାୟତର ଗାନ୍ଦାରଗୁଡ଼ି ଗ୍ରାମ। ଏହି ଗାଁରେ ୮୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ବିଦ୍ୟୁତ ଯୋଗାଣ ହୋଇନଥିବା ବେଳେ ବିଦ୍ୟୁତ୍ ଆଲୋକ ସାତ ସପନ ପାଲଟିଛି। ଏଣୁ ଗାନ୍ଦାରଗୁଡ଼ି ଗ୍ରାମ ବାସୀଙ୍କ ଅନ୍ଧାରରେ ବିତୁଛି ଜୀବନ। ଏହି ଗ୍ରାମଟି ଜଙ୍ଗଲ ମଧ୍ୟରେ ରହିଥିବାବେଳେ ଚାରି ପାଖ ପାହାଡ଼ ଘେରା ହୋଇ ରହିଛି। ସନ୍ଧ୍ୟା ୭ଟା ହେଲାବେଳେ ଅନ୍ଧାର ଯୋଗୁଁ ତାଟି କବାଟ ପଡ଼ି ଯାଉଛି। ସଞ୍ଜ ନଇଁଲେ ଲୋକଙ୍କ ପାଇଁ ଡିବିରି ଆଲୁଅ ହିଁ ଏକ ମାତ୍ର ସାହା ଭରସା। ଏଭଳି ସ୍ଥଳେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବିଦ୍ୟୁତ ଆଲୁଅ ପ୍ରତିବନ୍ଧ ସାଜିଛି। ପାଠ ପଢା ପିଲାମାନେ ଅଧିକ ସମୟ ପଢିବାର ଇଛା ଥିଲେବି ଡିବିରି ଆଲୁଅରେ ଅଧିକ ସମୟ ପଢ଼ି ପାରୁ ନଥିବା ପ୍ରକାଶ ପାଇଛି। ଏଥି ପ୍ରତି ସରକାରଙ୍କ ଦୃଷ୍ଟି ପଡୁ ନଥିବାବେଳେ ସ୍ଥାନୀୟ ଜନ ପ୍ରତିନିଧି ମଧ୍ଯ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ପ୍ରତ୍ୟେକ ନିର୍ବାଚନ ସମୟରେ ବିଦ୍ୟୁତ୍ ଯୋଗାଣ ନେଇ ନେତାମାନେ ପ୍ରତିଶ୍ରୁତି ଦେଉଛନ୍ତି। ୨୦୧୯ ସାଧରଣ ନିର୍ବାଚନ ସମୟରେ ମଧ୍ୟ ବିଦ୍ୟୁତ ଆଲୁଅ ଓ ପାନୀୟ ଜଳ ଯୋଗାଇ ଦେବାକୁ ଜନ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିର୍ବାଚନ ସରିଗଲେ ନେତାଙ୍କ ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ହିଁ ରହିଯାଇ ଥିବା ଗ୍ରାମବାସୀ କହିଛନ୍ତି। ସେହିପରି ଗାନ୍ଧାରଗୁଡି ଗାଁରେ ବିଶୁଦ୍ଧ ପାନୀୟ ଜଳର ମଧ୍ଯ ସମସ୍ୟା ରହିଛି। ଏହି ସମସ୍ୟା ପ୍ରତି ମଧ୍ୟ କାହାରି ଦୃଷ୍ଟି ପଡୁ ନାହିଁ। ଯାହାରି ଫଳରେ ଗ୍ରାମବାସୀ ସମୁହ ମୌଳିକ ଆବଶ୍ୟକତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏଣୁ ଉକ୍ତ ଗାଁକୁ ଆଗାମୀ ନିର୍ବାଚନ ପୂର୍ବରୁ ବିଦ୍ୟୁତ ଯୋଗାଣ ସହ ପାନୀୟ ଜଳ ସମସ୍ୟାର ସମାଧାନ କରାନଗଲେ ଗ୍ରାମବାସୀ ସମୁହ ଭୋଟ ବର୍ଜନ କରିବେ ବୋଲି ପ୍ରଶାସନକୁ ଚେତାଇ ଦେଇଛନ୍ତି ।
