ଡିସେମ୍ବର ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ…

add-all

Untitled-1-122

ପୁରୀ : ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଭୋରରୁ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା ପରିକ୍ରମା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମାରାଥନ ଭାବେ ସେ ଭୋର ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ।
ସଚିବ ଭୋର ପ୍ରାୟ ୪ଟାରେ ପୁରୀରେ ପହଞ୍ଚତ୍ ପ୍ରଥମେ ଶ୍ରୀମନ୍ଦିର ସମ୍ମୁଖରେ ନୀଳଚକ୍ର ଦର୍ଶନ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରିଥିଲେ। ପରେ ଶ୍ରୀମନ୍ଦିର ଚାରିପାଖେ ଚାଲୁଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ପ୍ରକଳ୍ପର ନକ୍ସା ଦେଖିଥିଲେ। ୫-ଟି ସଚିବ ପ୍ରଥମେ ଦୋଳବେଦି କୋଣକୁ ଯାଇ ସେଠାରେ ଚାଲିଥିବା କାର୍ଯ୍ୟ ଦେଖିଥଲେ। ସେହିପରି ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ ହୋଇଥିବା ମଠ ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ମଠର ଐତିହ୍ୟ ଓ ପରମ୍ପରାକୁ ନଜରରେ ରଖାଯାଇ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ଶ୍ରୀମନ୍ଦିର ସଂଲଗ୍ନ ରାସ୍ତା ବା ଛକ ଯେପରିକି ବାନାମ୍ବର ଛକ, ଶନିମନ୍ଦିର ଗଳି, କୃଷ୍ଣ ସିନେମା ରୋଡ୍‌, ଦୋଳବେଦି କୋଣ, ଧାନକୁଟି ସାହି, ନୂତନ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ପ୍ରଭୃତି ସ୍ଥାନ ବୁଲି ଦେଖିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।

ସେହିପରି ଶ୍ରୀମନ୍ଦିର ନିକଟରେ ସେବାୟତ ଏବଂ ଭକ୍ତଙ୍କ ଦୁଇଚକିଆ ଗାଡ଼ି ପାର୍କିଂ ନେଇ ଜିଲାପାଳଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ପରିକ୍ରମା ମାର୍ଗର ଆଉଟର ଆକ୍ସେସ୍‌ ରୋଡକୁ ଜବରଦଖଲମୁକ୍ତ କରାଯିବା ନେଇ ପଦକ୍ଷେପ ନିଆଯିବ। ଭକ୍ତମାନେ ଯେପରି ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରି ସୁଖଦ ଅନୁଭବ ନେଇ ଫେରିବେ ତାହାକୁ ନଜରରେ ରଖାଯାଇ କାର୍ଯ୍ୟ କରାଯିବ। ସକାଳ ୫ଟା ୩୦ରେ ୫-ଟି ସଚିବ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପାଖକୁ ଯାଇ ପିଲିଗ୍ରିମ ସେଣ୍ଟର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଗାଡ଼ି ଏଠାରେ ପାର୍କିଂ କରାଯିବା ପାଇଁ ବ୍ୟବସ୍ଥା ହେଉଛି। ପରେ ସକାଳ ୬ଟା ୩୦ରେ ୫-ଟି ସଚିବ ଶ୍ରୀସେତୁ କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ନୂଆବର୍ଷ ପୂର୍ବରୁ ଅର୍ଥାତ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ୫-ଟି ସଚିବ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସକାଳ ୭ଟାରେ ସେ ମୂଷା ନଦୀ କାର୍ଯ୍ୟର ସମୀକ୍ଷା କରିଥିଲେ। ନୂଆବର୍ଷରେ ପୁରୀ ବୁଲିବାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଯେପରି ସୁବିଧାରେ ଦର୍ଶନ କରିବା ସହ ଏକ ସୁଖଦ ଅନୁଭବ ନେଇ ଫେରିପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଏହି ସମୀକ୍ଷା ସମୟରେ ଜିଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କନୱର ବିଶାଲ ସିଂ, ଉପଜିଲାପାଳ ଭବତାରଣ ସାହୁ, ଅନ୍ୟ ଅଧିକାରୀ, ପୂର୍ତ୍ତ ବିଭାଗ ସଚିବ ଏବଂ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.