ଫୁଲବାଣୀରେ ‘ସାଂସଦ ସାମନ୍ତଙ୍କ ମେଗା ସ୍ୱାସ୍ଥ୍ୟ ଶିବିର’…

add-all

ଫୁଲବାଣୀ: ଫୁଲବାଣୀ ସର୍ତ୍ତାଗୁଡ଼ା ସମନ୍ୱିତ ଭିତ୍ତିଭୂମି ପରିସରରେ ଆଜି ‘ସାଂସଦ ସାମନ୍ତ ମେଗା ସ୍ୱାସ୍ଥ୍ୟ ଶିବିର’କୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ। ଶ୍ରୀ ସାମନ୍ତଙ୍କ ପ୍ରତିଷ୍ଠିତ ଭୁବନେଶ୍ୱର କିମସ ହସପିଟାଲ ଆନୁକୂଲ୍ୟରେ ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରରେ କିମସର ୬୦ରୁ ଊର୍ଦ୍ଧ୍ୱ ବରିଷ୍ଠ ଡାକ୍ତର ଓ ବିଶେଷଜ୍ଞ ଯୋଗଦେଇ ସକାଳ ୯ଟାଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋଗୀମାନଙ୍କୁ ସ୍ଵାସ୍ଥ୍ୟ ପରାମର୍ଶ ଦେଇଥିଲେ। ଏହି ଶିବିରରେ ବିନା ଦେୟରେ ରୋଗୀମାନେ ବିଭିନ୍ନ ରୋଗ ନିଦାନ ପରୀକ୍ଷା ନିରୀକ୍ଷା କରିବାର ସୁଯୋଗ ପାଇବା ସହ ରୋଗୀମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ସାଂସଦ ଶ୍ରୀ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ମେଡ଼ିସିନ୍‍, ହୃଦରୋଗ, ଅସ୍ଥିଶଲ୍ୟ, ସ୍ନାୟୁରୋଗ, ଚକ୍ଷୁ, ଚର୍ମ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି, ମାନସିକ, ଦନ୍ତ, କର୍ଣ୍ଣ-ନାସା ଓ ଗଳା,ପଲମୋନାରୀ, ନେଫ୍ରୋଲୋଜି, ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ରେଡିଓ଼ଲୋଜି ବିଭାଗର ବହୁ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ରୋଗୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହି ଶିବିର ସ୍ଥଳରେ ବୟସ୍କ ଏବଂ ଦିବ୍ୟାଙ୍ଗମାନେ ପହଞ୍ଚିବା ପାଇଁ ସାଂସଦଙ୍କ ଦ୍ୱାରା ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଥିଲା। ଫୁଲବାଣୀ ସରକାରୀ ବସ୍‌ଷ୍ଟାଣ୍ଡରୁ ସ୍ୱତନ୍ତ୍ର ବସରେ ରୋଗୀମାନେ ଶିବିର ପର୍ଯ୍ୟନ୍ତ ଯାଇପାରିଥିଲେ। ଏଭଳି ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସାମନ୍ତଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଶୁଭେନ୍ଦୁ ପାତ୍ର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ରାଜ୍ୟ ବିହନ ନିଗମ ଅଧକ୍ଷ ବିଜୟ ନାୟକ, ସରୋଜ କର୍ଣ୍ଣ, ଜଲିନା ପ୍ରିୟଦର୍ଶିନୀ, ଜିଲ୍ଲା ଉପମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ପୁନମ କହଁର, ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସମୟକୁ ସମୟ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ବ୍ଲକରେ ମେଗା ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଦୀର୍ଘଦିନ ଧରି ଜାରି ରହିଛି।

ad-week
Leave A Reply

Your email address will not be published.