
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ କମାରଗୁଡା ଗ୍ରାମ ଜଙ୍ଗଲରେ ବିଏସ୍ଏଫ୍ ଯବାନ ମାନେ ୫ ଟି ଶକ୍ତିଶାଳୀ ଜିଲଟିନ ବୋମା ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଆଜି ଭୋର୍ ସମୟରୁ ପଡିଆ ସ୍ଥିତ ୧୪୨ ବାଟାଲିଅନ୍ ବିଏସ୍ଏଫ୍ ଯବାନମାନେ ଛତ୍ତିଶଗଡ଼ ସୀମାକୁ ଲାଗି ରହିଥିବା ଶାବେରୀ ନଦୀ ତଟବର୍ତ୍ତୀ ମାଟେରୁ ଓ ନିଲିଗୁଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ସ୍ପେଶିଆଲ ଅପରେସନ ଚଳାଇଥିଲେ। ତେବେ ଦିନ ପ୍ରାୟ ୧୧ ଟା ବେଳେ ପରସନପଲ୍ଲୀ ଲିଙ୍କ ରୋଡ଼ ଠାରୁ ପ୍ରାୟ ଅଢେଇ କିମି ଦୂରରେ ଥିବା କମାରଗୁଡା ଜଙ୍ଗଲରେ ଯବାନମାନେ ମାର୍ଚ କରୁଥିବା ବେଳେ ମେଟାଲ ଡିରେକ୍ଟରରେ ସନ୍ଦିଗ୍ଧ ବସ୍ତୁ ଥିବା ନେଇ ଶବ୍ଦ ଶୁଣିବାକୁ ପାଇଲେ। ଏହାପରେ ସୁରକ୍ଷିତ ଭାବେ ଖୋଜାଖୋଜି କରିବାରୁ ଏକ ବିରାଟକାୟ ଗଛ କରୋଡୋ ସମେତ ଆଖପାଖ ଅଞ୍ଚଳରେ ୫ ଟି ଶକ୍ତିଶାଳୀ ଜିଲଟିନ ବୋମା ଠାବ କରିଥିଲେ। ଏହାପରେ ମାଲକାନଗିରି ବିଏସ୍ଏଫ୍ କ୍ୟାମ୍ପ ସ୍ଥିତ ବୋମା ନିଷ୍କ୍ରିୟ ଟିମ୍ କୁ ସୂଚନା ଦେବାରୁ ଦିନ ପ୍ରାୟ ୧ଟା ବେଳେ ଏକ ଟିମ୍ ଆସି ବୋମା ଗୁଡିକୁ ବିସ୍ଫୋରଣ କରି ନିଷ୍କ୍ରିୟ କରାଇଥିଲେ। ତେବେ ଏହି ବୋମା ଗୁଡିକୁ କିଏ ଓ କେବେ ଖଞ୍ଜିଥିଲେ ସେ ନେଇ କୌଣଷି ସୂଚନା ମିଳିନାହିଁ। ଅନ୍ୟପଟେ ୨୦୧୩ ମସିହାରେ ହୋଇଥିବା ନକ୍ସଲ ବିରୋଧୀ ଏନକାଉଣ୍ଟର ପରେ ଶେଷ ଥର ପାଇଁ ସିଲାକୋଟାରେ ଗ୍ରାମୀଣ ଙ୍କୁ ଆକ୍ରମଣ ସହ ମାଓବାଦୀଙ୍କ ଗତିବିଧି କମିଯାଇଥିବା ବେଳେ ଅତୀତରେ କେହି ଏହି ବୋମା ଗୁଡିକୁ ଖଞ୍ଜିଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ତେବେ ବିଏସ୍ଏଫ୍ ଯବାନଙ୍କ କୌଶଳ ଭରା ରଣନୀତି ଯୋଗୁଁ ଅଳ୍ପକେ ଏକ ବଡ ଧରଣର ବିପତ୍ତିରୁ ରକ୍ଷା ମିଳିଥିବା କୁହାଯାଉଛି।