ରାସ୍ତାରେ ଉଡ଼ିଲା ଟଙ୍କା…ସବୁ ଚିରାଫଟା…

add-all

ଭୁବନେଶ୍ବର: ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖ ରାସ୍ତାରେ ବୁଧବାର ଚିରାଫଟା ୫ ଶହ, ୨ ଶହ ଓ ୧୦୦ ଟଙ୍କିଆ ଉଡ଼ିଥିଲା। ଯାତାୟାତ କରୁଥିବା ଲୋକେ ଏତେ ପରିମାଣର ଟଙ୍କା ପଡ଼ିଥିବା ଦେଖି ଗହଳି ଜମାଇ ଥିଲେ। ପରେ ରିଜର୍ଭ ବ୍ୟାଙ୍କକୁ ଚିରାଫଟା ‌ଟଙ୍କା ବଦଳ ପାଇଁ ଆସିଥିବା ସାଧାରଣ ଲୋକେ ନିରାଶ ହୋଇ ସେହି ଟଙ୍କାଗୁଡ଼ିକୁ ରାସ୍ତାରେ ପକାଇ ପାଟିତୁଣ୍ଡ କରିଥିଲେ। ଖବର ପାଇ ଖାରବେଳନଗର ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସୂଚନାଯୋଗ୍ୟ, ବୁଧବାର କିଛି ଗ୍ରାହକ ପାଖରେ ଥିବା ଚିରାଫଟା ଟଙ୍କା ବଦଳାଇବାକୁ ରିଜର୍ଭ ବ୍ୟାଙ୍କରେ ଧାଡ଼ିରେ ‌ଛିଡ଼ା ହୋଇଥିଲେ। ବ୍ୟାଙ୍କ ଉକ୍ତ ଟଙ୍କାକୁ ଗ୍ରହଣ କରିନଥିଲେ। ଯାହାଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରତିଦିନ ୨ଶହରୁ ୩ ଶହ ଲୋକ ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରୁଥିବା କିଛି ଗ୍ରାହକ ଅଭିଯୋଗ ଆଣିଥିଲେ। ଘଟଣା ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଚିରାଫଟା ନୋଟ୍‌ ଓ ଖରାପ ହୋଇଯାଇଥିବା କଏନ୍‌ ବଦଳ କରାଇବା ପାଇଁ ସମସ୍ତ ବ୍ୟାଙ୍କକୁ ନିର୍ଦେଶ ରହିଛି। କେବଳ ରିଜର୍ଭ ବ୍ୟାଙ୍କ ନୁହେଁ, ଯେ କୌଣସି ବ୍ୟାଙ୍କରେ ଗ୍ରାହକ ନୋଟ୍‌ ବଦଳାଇ ପାରିବେ। ଏଭଳି ଅଭିଯୋଗ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.