ବିଜେପି ସାଂସଦଙ୍କୁ ନୋଟିସ ପଠାଇ କ୍ଷମା ମାଗିବାକୁ କହିଲେ ମହୁଆ

add-all

mah

ନୂଆଦିଲ୍ଲୀ : ଟିଏମସି ସାଂସଦ ମହୁଆ ମୋଇତ୍ରା ଆଜି ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମକୋର୍ଟର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରେଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି। ଦୁବେଶ ଓ ଦେହାଦ୍ରେ ଅଭିଯୋଗ କରିଥିଲେ ଯେ ମହୁଆ ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଲୋକସଭାରେ ପ୍ରଶ୍ନ କରୁଛନ୍ତି।
ଏହାକୁ ମହୁଆ ସୋମବାର ଖଣ୍ଡନ କରିଥିବା ବେଳେ ଆଜି ଉଭୟଙ୍କୁ କୋର୍ଟ ନୋଟିସ ପଠାଇଛନ୍ତି। ସେମାନଙ୍କୁ ଲିଖିତ ଭାବେ କ୍ଷମା ମାଗିବାକୁ ମହୁଆ କହିଛନ୍ତି।
ନୋଟିସରେ ମହୁଆ ଲୋକସଭା ସଦସ୍ୟ ଭାବେ ନିଜର କାମ କରିବା ବେଳେ କୌଣସି ପ୍ରକାର ଲାଞ୍ଚ କିମ୍ବା ପକ୍ଷପାତିତା କରି ନଥିବା କହିଛନ୍ତି। ସେ ଅଭିଯୋଗକୁ ଭିତ୍ତିହୀନ, ଅମୂଳକ ଓ ଏହାକୁ ପ୍ରମାଣିତ କରିବା ପାଇଁ କୌଣସି ତଥ୍ୟ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।
ମହୁଆ ଅଭିଯୋଗ କରିଛନ୍ତି ଯେ ନିଶିକାନ୍ତ ଦୁବେ ଓ ଦେହାଦ୍ରେ ଜାଣିଶୁଣି ତାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଛନ୍ତି। ସେମାନେ ବ୍ୟକ୍ତିଗତ ସ୍ତରକୁ ଯାଇ ଟାର୍ଗେଟ କରିଛନ୍ତି। ରାଜନୀତିକ ପୂର୍ବାଗ୍ରହ ରଖି ଏପରି ଅଭିଯୋଗ ଆଣିଛନ୍ତି।
ଗୋଟିଏ ଆଇନ ଅଫିସ ପକ୍ଷରୁ ପଠା ଯାଇଥିବା ନୋଟିସରେ କୁହାଯାଇଛି ଯେ ବିଭିନ୍ନ ପ୍ରସଙ୍ଗରେ ମହୁଆ ମୋଇତ୍ରା ଓ ନିଶିକାନ୍ତ ଦୁବେଙ୍କ ମଧ୍ୟ ବାକଯୁଦ୍ଧ ଦେଖିବାକୁ ମିଳିଥିଲା। ମହୁଆଙ୍କ ବିରୋଧରେ ଆସିଥିବା ଗୋଟିଏ ସ୍ୱାଧିକାର ଭଙ୍ଗ ନୋଟିସକୁ ଦୁବେ ସମର୍ଥନ କରିଥିଲେ। ତାଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ମଧ୍ୟ ସେ ଦାବି କରିଥିଲେ।
୨୦୨୩ ମାର୍ଚ୍ଚ ମାସରେ ଆମ କ୍ଲାଏଣ୍ଟ(ମହୁଆ) ନିଶିକାନ୍ତ ଦୁବେଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବା ସହ ପ୍ରମାଣ ମାଗିଥିଲେ। ନାମାଙ୍କନ ପତ୍ରରେ ଦୁବେ ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଦେଇଥିବା ତଥ୍ୟ ଆଧାରରେ ସେ ପ୍ରଶ୍ନ କରିଥିଲେ। ଏବେ ଉକ୍ତ ଘଟଣାକୁ ଆଧାର କରି ନିଶିକାନ୍ତ ଦୁବେ ଅତ୍ୟନ୍ତ ଆପତ୍ତିଜନକ ତଥା ମିଛ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିବା ପୂର୍ବରୁ ଏହା ସତ୍ୟାସତ୍ୟ ମଧ୍ୟ ଜାଣିବାକୁ ଚେଷ୍ଟା କରି ନାହାନ୍ତି।
ଆଇନଜୀବୀ ଦେହାଦ୍ରେଙ୍କୁ ପଠା ଯାଇଥିବା ନୋଟିସରେ କୁହାଯାଇଛି ଯେ ମହୁଆ ଓ ଦେହାଦ୍ରେଙ୍କ ମଧ୍ୟରେ ବେଶ କିଛି ବର୍ଷ ଧରି ବନ୍ଧୁତା ରହିଥିଲା। କିନ୍ତୁ ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବନ୍ଧୁତା ଭାଙ୍ଗି ଯାଇଥିଲା। ଏହାପରେ ସେ ମହୁଆଙ୍କ ବିରୋଧରେ ଲାଗିଥିଲେ। ସେ ଅନେକ ଥର ମହୁଆଙ୍କୁ ଅତ୍ୟନ୍ତ ଅସଭ୍ୟ ମେସେଜ ମଧ୍ୟ କରିଛନ୍ତି।
ମହୁଆଙ୍କ ସରକାରୀ ବାସଭବନରେ ସେ ଲୁଚି ପଶିବା ସହ କିଛି ବ୍ୟକ୍ତିଗତ ଜିନିଷ ମଧ୍ୟ ଚୋରି କରିଥିଲେ। ୨୦୨୩ ମାର୍ଚ୍ଚ ୨୫ ଓ ୨୦୨୩ ସେପ୍ଟେମ୍ବର ୨୩ରେ ମହୁଆ ଆଇନଜୀବୀ ଦେହାଦ୍ରେଙ୍କ ବିରୋଧରେ ଦୁଇ ଥର ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି।
ମହୁଆ ତାଙ୍କ ନୋଟିସରେ ଦୁବେଙ୍କୁ କହିଛନ୍ତି ଯେ ବାଚସ୍ପତିଙ୍କ ନିକଟରୁ ସେ ପଠାଇଥିବା ଚିଠିକୁ ପ୍ରତ୍ୟାହାର କରନ୍ତୁ। ଏଥିସହ ଦେହାଦ୍ରେଙ୍କ ସହ ମିଶି ଲିଖିତ ଭାବେ କ୍ଷମା ମାଗନ୍ତୁ।

ad-week
Leave A Reply

Your email address will not be published.