
ପଞ୍ଜାବ : ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଭଗୱନ୍ତ ମାନ୍ ସରକାରଙ୍କୁ ବଡ଼ ରାଜନୈତିକ ଝଟକା । ପଞ୍ଜାବ ଆମ୍ ଆଦମୀ ପାର୍ଟିର ୩ ବିଧାୟକ ପଦ୍ମ ଧରିଲେ । ପଞ୍ଜାବରେ ଆଉ କିଛି ବାକି ନାହିଁ ବୋଲି କହିଛନ୍ତି ବିଦ୍ରୋହୀ । ବିଜେପିରେ ସାମିଲ ହେବା ପରେ ମାନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନୂଆଦିଲ୍ଲୀରେ ତିନିଜଣ ବିଦ୍ରୋହୀ ବିଧାୟକ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ତିନି ବିଧାୟକ ହେଲେ ହରମିତ ସିଂ ପଠାନମାଜରା, ଚେତନ ସିଂ ଜୋରାମାଜରା ଓ କୁନୱାର ବିଜୟ ପ୍ରତାପ ସିଂ ।
ଆସନ୍ତା ରାଜ୍ୟ ନିର୍ବାଚନ ପାଇଁ ଆପ୍ ପକ୍ଷରୁ ୪୦ ଜଣିଆ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା ହେବା ପରେ ଦଳ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା । ଏହି ତାଲିକାରେ କେତେକ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍ ମିଳି ନଥିଲା । ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହେବା ପରେ ବିଦ୍ରୋହୀ ନେତାମାନେ ଆପ୍ ନେତୃତ୍ୱ ଉପରେ ସିଧାସଳଖ ଆକ୍ରମଣ କରିଥିଲେ । ବର୍ତ୍ତମାନର ପ୍ରଶାସନ ଅଧୀନରେ “ପଞ୍ଜାବରେ ଆଉ ପଞ୍ଜାବୀ ସଂସ୍କୃତି ପରମ୍ପରା ବାକି ନାହିଁ ବୋଲି କହିଛନ୍ତି ଏମାନେ । ରାଜ୍ୟ ସରକାରଙ୍କ ଶାସନ ଶୈଳୀକୁ କଡ଼ା ସମାଲୋଚନା କରିଛନ୍ତି ।
ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଥିବା ଏବଂ ବ୍ୟାପକ ଭାବେ ବଢୁଥିବା ନିଶା କାରବାରକୁ ରୋକିବାରେ ମାନ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ତିନି ବିଦ୍ରୋହୀ ବିଧାୟକ ଅଭିଯୋଗ କରିଛନ୍ତି । ଗତ କିଛି ମାସ ମଧ୍ୟରେ ପଞ୍ଜାବ ଆପ୍ ୟୁନିଟ୍ ରୁ କେତେକ ପ୍ରମୁଖ ନେତା ଦଳ ଛାଡ଼ିବା ପରେ ଏହି ନୂଆ ଘଟଣା ସାମ୍ନାକୁ ଆସିଛି । ଅନ୍ୟପଟେ ବିରୋଧୀ ଦଳ ନିର୍ବାଚିତ ସରକାରଙ୍କୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଆପ୍ ଅଭିଯୋଗ କରିଛି ।
