
ଉତ୍ତରପ୍ରଦେଶ: ୟୁପିର କୁଶୀନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭ୍ୟାନ୍-ଟ୍ରେଲର୍ ମୁହାଁମୁହିଁ ଧକ୍କାରେ ୬ ମୃତ । ଏକ ମାରୁତି ଇକୋ ଭ୍ୟାନ୍ ଏବଂ ଭାରୀ ଟ୍ରେଲର୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଜୋରଦାର ଧକ୍କା ହେବା ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏହାସହ ଜଣେ ଗୁରୁତର ଭାବେ ଆହତ ହୋଇଛି । ଦୁର୍ଘଟଣାଟି କୁଶୀନଗର ଜିଲ୍ଲାର ହାଟା କୋତୱାଲୀ ଅନ୍ତର୍ଗତ ହାଟା– ପିପରାଇଚ୍ ମାର୍ଗର ଥରୁଆଡିହ ନିକଟ ଏକ ପେଟ୍ରୋଲ ପମ୍ପ ପାଖରେ ଘଟିଛି । ସମସ୍ତ ଯାତ୍ରୀ କୁଶୀନଗରର ଭଲୁହୀ ଗ୍ରାମର ବାସିନ୍ଦା ।
ସେମାନେ ଦେବରାଜ ପିପରା ଗ୍ରାମରେ ଏକ ସମ୍ପର୍କୀୟଙ୍କ ଘରେ ଆୟୋଜିତ ତିଳକ ଉତ୍ସବରେ ସାମିଲ ହୋଇ ଭ୍ୟାନ୍ ଯୋଗେ ନିଜ ଗାଁକୁ ଫେରୁଥିଲେ । ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଅନିୟନ୍ତ୍ରିତ ଟ୍ରେଲର୍ ସହ ଭ୍ୟାନଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଭ୍ୟାନର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା । ଭ୍ୟାନରେ ଥିବା ଲୋକଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲେ ।
ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରେଲର୍ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଗୋଟିଏ ଗାଁର ୬ ଜଣଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଭଲୁହୀ ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି । ଖୁସିର ମାହୋଲ କିଛି କ୍ଷଣ ମଧ୍ୟରେ ଦୁଃଖରେ ପରିଣତ ହୋଇଯାଇଛି ।
