ବ୍ୟାଗ୍‌ରେ ବୋମା ରଖିଛି କହି ଯାତ୍ରୀ ଧମକାଇବାରୁ ମୁମ୍ବାଇରେ ଜରୁରୀ ଅବତରଣ କଲା ପୁଣେରୁ ଦିଲ୍ଲୀ ଯାଉଥିବା ବିମାନ…

add-all

Untitled-1

ମୁମ୍ବାଇ: ବ୍ୟାଗ୍‌ରେ ବୋମା ରଖିଛି କହି ଜଣେ ଯାତ୍ରୀ ଧମକାଇବାରୁ ପୁଣେରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ‘ଆକାଶ ଏୟାର୍‌’ର ଏକ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଆଜି ଜାରି କରିଥିବା ବିବୃତିରେ ‘ଆକାଶ ଏୟାର୍‌’ କହିଛି ଯେ, ୧୮୫ ଯାତ୍ରୀ ଓ ୬ଜଣ ବିମାନ କର୍ମଚାରୀଙ୍କୁ ନେଇ ପୁଣେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ପ୍ରାୟ ୪୦ ମିନିଟ୍‌ ପରେ ‘ସିକ୍ୟୁରିଟି ଆଲର୍ଟ’ ପାଇବା ଯୋଗୁଁ ମୁମ୍ବାଇ ବିମାନ ବନ୍ଦର ଆଡ଼କୁ ଗତିପଥ ବଦଳାଇଥିବା ‘କ୍ୟୁପି ୧୧୪୮’ ବିମାନ ଗତ ରାତିରେ ଅବତରଣ କରିଛି।
ବୋମା ରଖିଥିବା କଥା ମିଥ୍ୟା-ଧମକ ବୋଲି ଜଣା ପଡ଼ିବା ପରେ ଆଜି ସକାଳ ପ୍ରାୟ ୬ଟା ବେଳେ ଉକ୍ତ ବିମାନ ତା’ର ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ଅଭିମୁଖେ ପୁଣି ଉଡ଼ାଣ ଆରମ୍ଭ କରିଥିଲା।
ଜଣେ ପୁଲିସ ଅଧିକାରୀ କହିଛନ୍ତି, ଶୁକ୍ରବାର ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ଜଣେ ‘ସିଆଇଏସ୍‌ଏଫ୍‌’ ଅଫିସର୍‌ ମୁମ୍ବାଇ ପୋଲିସ୍‌ ‌କଣ୍ଟ୍ରୋଲ୍‌କୁ ସୂଚନା ଦେବା ପରେ ପୁଲିସ ଅଧିକାରୀ ଏବଂ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳଙ୍କ ଉପସ୍ଥିତିରେ ଯାତ୍ରୀମାନଙ୍କ ଲଗେଜ୍‌ ତଲାସ କରାଗଲା। କିନ୍ତୁ ତଦନ୍ତ ସମୟରେ ପୁଲିସ କ‌ୌଣସି ସନ୍ଦିଗ୍ଧ ସାମଗ୍ରୀ ପାଇଲା ନାହିଁ।
ମୁମ୍ବାଇରେ ବିମାନ ଅବତରଣ କରିବା ପରେ, ଛାତିରେ ଯନ୍ତ୍ରଣା ହେଉଛି ବୋଲି କହିବାରୁ ବ୍ୟାଗ୍‌ରେ ବୋମା ରଖିଛନ୍ତି ବୋଲି କହିଥିବା ଯାତ୍ରୀଙ୍କୁ ଆମ୍ବୁଲାନ୍‌ସ୍‌ରେ ଡାକ୍ତରଖାନାକୁ ନିଆଯାଇଥିଲା।
ପୁଲିସ କହିଛି, ସେ ଯାତ୍ରୀଙ୍କ ସହିତ ଆସିଥିବା ଜଣେ ଆତ୍ମୀୟ କହିଛନ୍ତି ଯେ, ଛାତିରେ ଯନ୍ତ୍ରଣା ହେଉଥିବାରୁ ସେ ଔଷଧ ଖାଇଥିଲେ।
କିନ୍ତୁ, ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.