ବଙ୍ଗୋପସାଗରରେ ଅବତରଣ କଲା ‘କ୍ରୁ ମଡ୍ୟୁଲ୍‌’

add-all

m

ବେଙ୍ଗାଲୁରୁ: ଆଜି ସକାଳ ୧୦ ବେଳେ ‘ଇସ୍ରୋ’ ତା’ର ଆକାଙ୍‌କ୍ଷୀ ‘ଗଗନଯାନ ଅଭିଯାନ’ ସମ୍ପର୍କୀୟ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ କରିଛି।
ଆଜି ୩ ଥର ଉତ୍‌କ୍ଷେପଣ ସ୍ଥଗିତ ରଖାଯିବା ପରେ, ପରିଶେଷରେ ପୂର୍ବାହ୍ନ ୧୦ ବେଳେ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍‌ ମହାକାଶ କେନ୍ଦ୍ର’ରୁ ତରଳ ଇନ୍ଧନ ଚାଳିତ ଏକଥାକିଆ ‘ଟେଷ୍ଟ୍‌ ଭେଇକ୍ଲ୍‌’ରେ (ଟିଭି-ଡି୧) ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁ ଏସ୍କେପ୍‌ ସିଷ୍ଟମ୍’ ବା ‘କ୍ରୁ ମଡ୍ୟୁଲ୍‌’ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା।

ଉତ୍‌କ୍ଷେପଣ ପରେ ୧୧.୯ କିଲୋମିଟର୍‌ ଉଚ୍ଚରେ ‘ଟିଭି-ଡି୧’ରେ ଥିବା ପାରାସୁଟ୍‌ ବା ଆକାଶଛତା ‌ଖୋଲିଥିଲା ଓ ତା’ ସାହାଯ୍ୟରେ ‘କ୍ରୁ ମଡ୍ୟୁଲ୍‌’ ଶୂନ୍ୟରେ ଖସି ଖସି ବଙ୍ଗୋପସାଗର ଆଡ଼କୁ ଗତିଶୀଳ ହୋଇଥିଲା। ଶ୍ରୀହରିକୋଟା ଉପକୂଳଠାରୁ ପ୍ରାୟ ୧୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଜଳରାଶି ମଧ୍ୟରେ ଏହା ଅବତରଣ କରିଥିଲା। ଏହାକୁ ଉଦ୍ଧାର କରିବା ଲାଗି ଭାରତୀୟ ନୌସେନାର ଏକ ଟିମ୍‌ ଅଭିଯାନ ଆରମ୍ଭ କରିଛନ୍ତି।
ପରୀକ୍ଷଣ ସଫଳ ହେବା ପରେ ‘ଇସ୍ରୋ’ ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି ‘ଗଗନଯାନ ଟିଭି-ଡି୧ ମିସନ୍‌’ ସଫଳ ହୋଇଥିବା କଥା ଘୋଷଣା କରି ମୁଁ ଆନନ୍ଦିତ। ‘କ୍ରୁ ଏସ୍‌କେପ୍‌ ସିଷ୍ଟମ୍‌’ ପରୀକ୍ଷା କରିବା ଥିଲା ଏହାର ଉଦ୍ଦେଶ୍ୟ। ‘କ୍ରୁ ଏସ୍‌କେପ୍‌ ସିଷ୍ଟମ୍‌’ ପୃଥକ୍‌ ହେବା ଆଗରୁ ଏହି ଭେଇକ୍ଲିର ଗତିବେଗ ଶବ୍ଦର ଗତି ବେଗଠାରୁ ସାମାନ୍ୟ ଅଧିକ ଥିଲା। ଏହି ‘ଏସ୍‌କେପ୍‌ ସିଷ୍ଟମ୍‌’ ‘କ୍ୟୁ ମଡ୍ୟୁଲ୍‌’କୁ ରକେଟ୍‌ରୁ ପୃଥକ କରି ସମୁଦ୍ର ମଧ୍ୟରେ ଅନାୟାସରେ ଅବତରଣ କରାଇଲା।

ଗ୍ରାଉଣ୍ଡ୍‌ କମ୍ପ୍ୟୁଟର୍‌ ‘ନନ୍‌ କନ୍‌ଫର୍ମାନ୍‌ସ୍‌’ ଦର୍ଶାଇବାରୁ ପ୍ରାଥମିକ ପର୍ଯ୍ୟାୟରେ ‘ଗଗନଯାନ ଟିଭି-ଡି୧ ମିସନ୍‌’ ଉତ୍‌କ୍ଷେପଣ ସ୍ଥଗିତ ରଖାଯାଇଥିଲା। ଆମେ ଏହାକୁ ଚିହ୍ନଟ କରି ତୁରନ୍ତ ସଜାଡ଼ି ଦେଲୁ ବୋଲି ‘ଇସ୍ରୋ’ ମୁଖ୍ୟ କହିଛନ୍ତି।

ad-week
Leave A Reply

Your email address will not be published.