ପ୍ରତିରକ୍ଷା ମନ୍ତ୍ରୀଙ୍କ ପରେ ଏବେ ଅର୍ଥ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ହଟାଇଲା ଚୀନ୍‌…

add-all

dfsc

ବେଜିଙ୍ଗ୍‌: ପ୍ରାୟ ୨ ମାସ ନିରବ ରହିବା ପରେ ମଙ୍ଗଳବାର ଦିନ ଚୀନ୍‌ ତା’ର ନିରୁଦ୍ଦିଷ୍ଟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍‌ ଲି ଶାଙ୍ଗ୍‌ଫୁଙ୍କୁ ଔପଚାରିକ ଭାବେ ବହିଷ୍କାର କରିଛି। ଲି’ଙ୍କ ପୂର୍ବରୁ ତାଙ୍କର ପୂର୍ବତନ କ୍ୟାବିନେଟ୍‌ ସହଯୋଗ ତଥା ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ମଧ୍ୟ ସମଦଶା ଭୋଗି‌ଥିଲେ। ଏଯାବତ୍‌ ତାଙ୍କର ପତ୍ତା ମିଳୁନାହିଁ।

ସେହିପରି, କ‌ୌଣସି କାରଣ ନ ଜଣାଇ ମଙ୍ଗଳବାର ଦିନ ଚୀନ୍‌ ତା’ର ଅର୍ଥମନ୍ତ୍ରୀ ଲିଉ କୁନ୍‌ଙ୍କୁ ବହିଷ୍କାର କରି ତାଙ୍କ ସ୍ଥାନରେ ଲାନ୍‌ ଫୋ’ଆନ୍‌ଙ୍କୁ ନିଯୁକ୍ତ କରିଛି। ଅର୍ଥମନ୍ତ୍ରୀ ପଦବୀରେ ନିଯୁକ୍ତି ପାଇବା ପୂର୍ବରୁ ଲାନ୍‌ ଅର୍ଥମନ୍ତ୍ରାଳୟର କମ୍ୟୁନିଷ୍ଟ୍‌ ପାର୍ଟି ମୁଖ୍ୟ ଥିଲେ।

ଏହାଛଡ଼ା, ଦେଶର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ୱାଙ୍ଗ୍‌ ଜିଙ୍ଗାଙ୍ଗ୍‌ଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ୟିନ୍‌ ହେଜୁନ୍‌ଙ୍କୁ ନିଯୁକ୍ତ କରାଯାଇଛି। ୱାଙ୍ଗଙ୍କୁ ବହିଷ୍କାର କରାଯିବାର କୌଣସି କାରଣ ମଧ୍ୟ ଦିଆଯାଇ ନାହିଁ। ୨୦୧୮ ମାର୍ଚରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହେବା ଆଗରୁ ୨୦୧୨ ଜୁଲାଇରୁ ୱାଙ୍ଗ୍‌ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପମନ୍ତ୍ରୀ ଥିଲେ।

କିନ୍ତୁ, ପ୍ରାୟ ୨ ମାସ ଧରି ନିରୁଦ୍ଦିଷ୍ଟ ରହିବା ପରେ କୌଣସି କାରଣ ଦର୍ଶା ନ ଯାଇ ବହିଷ୍କୃତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ଲି’ଙ୍କ ସ୍ଥାନରେ ଆଉ କାହାରିକୁ ନିଯୁକ୍ତ କରାଯାଇଥିବା କଥା ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ।

ad-week
Leave A Reply

Your email address will not be published.