ହେଲିକପ୍ଟର୍‌ରୁ ଟଙ୍କାବୃଷ୍ଟି; ଘଣ୍ଟାଏ ଭିତରେ ସାଉଁଟି ନେଲେ ହଜାର ହଜାର ଲୋକ

add-all

Money-rain-750x430

ନୂଆଦିଲ୍ଲୀ: ଚେକ୍‌ ସାଧାରଣତନ୍ତ୍ରର ସୁପରିଚିତ ‘ଇନ୍‌ଫ୍ଲୁଏନ୍‌ସର୍‌’ ତଥା ଟେଲିଭିଜନ୍‌ ଉପସ୍ଥାପକ କାମିଲ୍‌ ବାର୍ତୋଶେକ୍‌ ଗୋଟାଏ ହେଲିକପ୍ଟର୍‌ରୁ ଲାଇସା ନାଡ୍‌ ଲେବେମ୍‌ ନଗରୀ ନିକଟ ପଡ଼ିଆରେ ଏକ ନିୟୁତ ଡଲାର୍‌ (ଟଙ୍କା) ବୃଷ୍ଟି କରି ଜନସାଧାରଣଙ୍କ ଆଚମ୍ବିତ କରିପକାଇଛନ୍ତି।
‘କାଜ୍‌ମା’ ନାମରେ ଅଧିକ ପରିଚିତ ବାର୍ତୋଶେକ୍‌ ପ୍ରଥମେ ଏହି ବିପୁଳ ଅର୍ଥକୁ ଏକ ପ୍ରତିଯୋଗିତା କରି ଜଣେ ମାତ୍ର ବିଜୟୀଙ୍କୁ ଦେବା ପାଇଁ ମନସ୍ଥ କରିଥିଲେ। ପ୍ରତିଯୋଗିତା ଥିଲା ‘କାଜ୍‌ମା’ଙ୍କ ଚଳଚ୍ଚିତ୍ର ‘ୱାନ୍‌ମ୍ୟାନ୍‌ସୋ: ଦି ମୁଭି’ରେ ଅର୍ଥ ପାଇବା ପାଇଁ ଲୁକ୍କାୟିତ ଥିବା ଗୋଟାଏ ‘କୋଡ୍‌’ର ଅର୍ଥ ବ୍ୟାଖ୍ୟା କରିବା। କିନ୍ତୁ, ଏହି ‘କୋଡ୍‌’ ବା ‘ଗୋଲକଧନ୍ଦା’କୁ ସମାଧାନ କରିବା ବଡ଼ କଷ୍ଟକର ହୋଇପଡ଼ିଲା।
ଏଭଳି ପରିସ୍ଥିତି ଏଡ଼ାଇବା ପାଇଁ ‘କାଜ୍‌ମା’ ବିକଳ୍ପ ବ୍ୟବସ୍ଥା ବାଛିଲେ। ତେଣୁ, ଏହି ପ୍ରତିଯୋଗିତାରେ ଭାଗ ନେବାକୁ ପଞ୍ଜିକୃତ କରାଇଥିବା ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଅର୍ଥରାଶି ବଣ୍ଟନ କରିବା ଲାଗି ସେ ନିଷ୍ପତ୍ତି ନେଲେ। ସେହି ଅନୁସାରେ, ରବିବାର ସକାଳେ ସେ ସମସ୍ତ ପ୍ରତିଯୋଗୀଙ୍କ ନିକଟକୁ ଟଙ୍କା ବୃଷ୍ଟି କରାଯିବାର ସ୍ଥାନ ଉଲ୍ଲେଖ କରି ଇ-ମେଲ୍‌ ପଠାଇଲେ। ନିଜ କଥା ରକ୍ଷା କରି ନିର୍ଦ୍ଧାରିତ ସମୟରେ ହେଲିକପ୍ଟର୍‌ ଯୋଗେ ଠିକଣା ସମୟରେ ପହଞ୍ଚିଲେ।
ଏହି ଅସାଧାରଣ ଘଟଣାକୁ ନିଜ ଅଫିସିଆଲ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ ଅକାଉଣ୍ଟ୍‌ରେ ପୋଷ୍ଟ୍‌ କରି ଲେଖିଛନ୍ତି: ବିଶ୍ବର ପ୍ରଥମ ପ୍ରକୃତ ‘ଅର୍ଥ ବୃଷ୍ଟି’।
ହେଲିକପ୍ଟର୍‌ରୁ ଖସିପଡୁଥିବା ବ୍ୟାଙ୍କ୍‌ ନୋଟ୍‌ ସବୁକୁ ମାତ୍ର ୧ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ହଜାର ହଜାର ଜନତା ସାଉଁଟି ନେଇଥିଲେ। ଭିଡିଓରେ ଦେଖାଯାଉଛି ଯେତେ ଅଧିକ ସମ୍ଭବ ଡଲାର୍‌ ସାଉଁଟି ନେବା ପାଇଁ ଲୋକେ ବ୍ୟାଗ୍‌ ଧରି ପଡ଼ିଆରେ ଧାଁଦଉଡ଼ କରୁଛନ୍ତି।
କାହାରି କିଛି ଅନିଷ୍ଟ ନ କରି ଗୋଟାଏ ହେଲିକପ୍ଟର୍‌ ଯୋଗେ ଚେକ୍‌ ରିପବ୍ଲିକ୍‌ରେ ଏକ ନିୟୁତ ଡଲାର୍‌ ଅର୍ଥ ପକାଯାଇଛି ବୋଲି ସେ ଆନନ୍ଦରେ ଘୋଷଣା କରିଛନ୍ତି।

ad-week
Leave A Reply

Your email address will not be published.