‘ଅବାନ୍ତର ସୂଚନା‘ କହି କ୍ୟାନ୍‌ସର୍‌ ଯୋଗୁଁ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ମୃତ୍ୟୁ ଖବରକୁ ଅସ୍ବୀକାର କଲା ରୁଷ୍‌

add-all

put

ମସ୍କୋ: ଉତ୍ତର ମସ୍କୋ ଅନ୍ତର୍ଗତ ଭାଲ୍‌ଦାଇ ବାସଭବନରେ କର୍କଟ ରୋଗ କାରଣରୁ ଭ୍ଲାଦିମିର୍‌ ପୁଟିନ୍‌ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି ବୋଲି ଯେଉଁ ଖବର ପ୍ରସାରିତ ହେଉଛି ତାହାକୁ ଗତରାତିରେ କ୍ରେମ୍‌ଲିନ୍‌ ଅସ୍ବୀକାର କରିଛି।

‘ଟେଲିଗ୍ରାମ୍‌’ ଚାନେଲ୍‌ ‘ଜେନେରାଲ୍‌ ଏସ୍‌ଭିଆର୍‌’ରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ମୃତ୍ୟୁ ସମ୍ବାଦ ପ୍ରକାଶିତ ହୋଇଥିଲା। ରୁଷ୍‌ର ଏକଚ୍ଛତ୍ରବାଦୀ ପୁଟିନ୍‌ ଦୁରାରୋଗ୍ୟ କର୍କଟ ରୋଗରେ ପୀଡ଼ିତ ବୋଲି ଏହି ଚାନେଲ୍‌ ଦୀର୍ଘ ଦିନ ହେବା ଦାବି କରିଆସୁଥିଲା।

ପୁଟିନ୍‌ଙ୍କ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ ଗୁରୁବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ‘ଆର୍‌ଆଇଏ ନୋଭୋସ୍ତି’କୁ କହିଛନ୍ତି ଯେ, ଏହି ଖବର ‘ଅଜ୍ଞାତସୂତ୍ରରୁ ପ୍ରାପ୍ତ ଅବାନ୍ତର ସୂଚନା’।

ଗତ ସପ୍ତାହରେ ପୁଟିନ୍‌ଙ୍କର ହୃଦ୍‌ଘାତ ହୋଇଥିବା ଖବରକୁ ମଧ୍ୟ ଚଳିତ ସପ୍ତାହ ପ୍ରାରମ୍ଭରେ ପେସ୍‌କୋଭ୍‌ ଅସ୍ବୀକାର କରିଥିଲେ। ରାଷ୍ଟ୍ରପତି ପୁଟିନ୍‌ ତାଙ୍କର ଜଣେ ସମରୂପୀ ବା ତାଙ୍କ ଭଳି ଦିଶୁଥିବା ଆଉଜଣଙ୍କୁ ବ୍ୟବହାର କରୁଛନ୍ତି ବୋଲି ଯେଉଁ ସମ୍ବାଦ ପରିବେଶଣ କରାଯାଉଛି, ତାହା ମଧ୍ୟ ମିଛ ବୋଲି ସେ କହିଥିଲେ।

ଗଣମାଧ୍ୟମ ‘ମିରର୍‌’ କହିଛି, ଗ‌ୋଟିଏ କଥା ସୁସ୍ପଷ୍ଟ ଯେ, ପଦପଦବୀରେ ଥାଇ ଏକଦା ପୁଟିନଙ୍କର ଘନିଷ୍ଠ ଥିବା ବିଶିଷ୍ଟ ବ୍ୟକ୍ତିମାନେ ଏହି ଚାନେଲ୍‌କୁ ପାଣ୍ଠି ଯୋଗାଉଛନ୍ତି। ରୁଷ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧରେ ମାତିଥିବା ବେଳେ ରୁଷ୍‌ରେ କ୍ଷମତା ପାଇଁ ଭୀଷଣ ପ୍ରତିଦ୍ବନ୍ଦ୍ବିତା ଚାଲିଛି ବୋଲି ଏହି ମିଥ୍ୟା ଖବର ପ୍ରମାଣ ଦେଉଛି।

ad-week
Leave A Reply

Your email address will not be published.