ସବୁଜାଣି ପ୍ରସାସନ ନିରବ !
ମାଲକାନଗିରି, ୧୬/୧୧ ଗୋଟିଏ ପଟେ ଫସଲ ବେଳେ ପାଣି ପାଇଁ ଚାଷୀ ଗୁହାରୀ କରି ନୟାନ୍ତ ହୋଇଥିଲା ବେଳେ ଏବେ ଅମଳ ପରେ ବେପାରୀଙ୍କ ରାଜୁତିର ଶୀକାର ହେଉଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ବେଳେ ବର୍ତ୍ତମାନ ଫସଲ ଅମଳ ବେଳେ ବେପାରୀଙ୍କ କୋପଦୃଷ୍ଟି ଯୋଗୁଁ ଧାନର ସଠିକ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ଚାଷୀ । ଧାନ ବେପାରୀ ମାନେ କାଲିମେଳା ଓ ପଡିଆ ବ୍ଲକର ବିଭିନ୍ନ ସ୍ଥାନରୁ ମାତ୍ର ୧୨ ରୁ ୧୪ ଟଙ୍କା ଦରରେ ଧାନ କିଣି ପଡୋଶୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଛତ୍ତିଶଗଡ଼ ରାଜ୍ୟକୁ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି । ଆଜି ଏଭଳି ଏକ ଧାନ ବୋଝେଇ ଟ୍ରକ କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପଲ୍ଲୀ ପଞ୍ଚାୟତ ସମ୍ମୁଖରେ ଦେଖିବାକୁ ମିଳିଛି। ସୂଚନା ମୁତାବକ କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି ୯୮ ଗ୍ରାମର ଜଣେ ବ୍ୟବସାୟୀ ଓଡି ୩୦ ଡି ୮୧୭୮ ନମ୍ବର ଧାରୀ ୧୦ ଚକିଆ ଟ୍ରକ ଯୋଗେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବସ୍ଥା ଧାନ ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ନେଉଥିଲେ। ସ୍ଥାନୀୟ ଅଞ୍ଚଳରୁ ଏହି ଧାନ କମ୍ ଦରରେ କିଣି ପଡୋଶୀ ଆନ୍ଧ୍ର ପ୍ରଦେଶରେ ଚଢା ଦରରେ ବିକ୍ରି କରି ଲାଭବାନ ହେବାକୁ ଏଭଳି ଚାଲାଣ କରୁଥିବା ଜଣାପଡ଼ିଥିଲା । ତେବେ ମହାରାଜପଲ୍ଲୀ ଗ୍ରାମ ନିକଟରେ ଗାଡିଟି କୌଣଷି କାରଣରୁ ଅଟକି ରହିବାରୁ ଏହି ଗ୍ରାମର ଲୋକେ ସ୍ଥାନୀୟ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ମଣ୍ଡି ଖୋଲିବା ଆଗରୁ ଏଭଳି ଧାନ ଚାଲାଣକୁ ନେଇ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ମଧ୍ୟ ପ୍ରଶ୍ନ ବାଣ କରିଥିଲେ ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳିପାରି ନଥିଲା । ଧାନ ବ୍ୟବସାୟୀ ମାନେ ପଡୋଶୀ ରାଜ୍ୟକୁ ଚାଲାଣ କରୁଥିବା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣାକୁ ଗୁରୁତର ସହ ନେଇ ନଥିଲେ। ଅନ୍ୟପଟେ ପଡ଼ୋଶୀ ରାଜ୍ୟକୁ ଧାନ ବିକ୍ରି ପାଇଁ କୌଣଷି ଅନୁମତି ଦିଆଯାଇ ନାହିଁ ଓ ଚାଷୀ ଆବଶ୍ୟକୀୟ କାଗଜପତ୍ର ନେଇ ଧାନ ବିକ୍ରି କରିବେ ବୋଲି କାଲିମେଳା ଯୋଗାଣ ଅଧିକାରୀ କହିଥିଲେ। ତେବେ ମଣ୍ଡି ଖୋଲିବା ପୂର୍ବରୁ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣି ପଡୋଶୀ ରାଜ୍ୟରେ ବିକି ବେପାରୀ ମାଲାମାଲ ହେଉଥିବା ବେଳେ ବିଭାଗ ପକ୍ଷ୍ୟରୁ ଏଭଳି ଉଦାସୀନତା ବ୍ୟବସାୟୀଙ୍କୁ ପ୍ରେତ୍ସାହନା ଯୋଗାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏପରି ସ୍ଥିତିରେ ବାହାର ରାଜ୍ୟକୁ ବେଆଇନ ଭାବେ ଧାନ ଚାଲାଣ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାଷୀଙ୍କ ସ୍ଵାର୍ଥ ରକ୍ଷା ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
