ୟେମେନରେ ଭାରତୀୟ ନର୍ସଙ୍କ ଫାଶୀ ଦଣ୍ଡାଦେଶ କାଏମ, ଖାରଜ ହେଲା ଆବେଦନ…

Independence

IMAGE_1700290261

ନୂଆଦିଲ୍ଲୀ : ୟେମେନ ଜେଲ୍‌ରେ ଗତ ୬ ବର୍ଷ ହେଲା ବନ୍ଦୀ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ପାଇଁ ଅଡ଼ୁଅ ବଢ଼ିବାରେ ଲାଗିଛି। ସେଠାକାର ସୁପ୍ରିମକୋର୍ଟ ତାଙ୍କ ମୃତ୍ୟୁ ଦଣ୍ଡାଦେଶ କୋହଳ ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ଝିଅକୁ ଫାଶୀ ଦଣ୍ଡ ମିଳିଥିବା ଖବର ପାଇ ପରିବାର ଉପରେ ଚଡ଼କ ପଡ଼ିଛି। ଏପରି ସମୟରେ ଝିଅ ପାଖକୁ ଯିବାକୁ ଅନୁମତି ପାଇଁ ନିମିଷା ପ୍ରିୟାଙ୍କ ମା’ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରାୟ ୧୨ ବର୍ଷ ତଳେ ନିମିଷା ଚାକିରି ଉଦ୍ଦେଶ୍ୟରେ ୟେମେନ ଯାଇଥିଲେ। ସେଠାରେ ସେ ନର୍ସ ଚାକିରି କରି ରହିଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ବି ରହୁଥିଲେ ମାତ୍ର ୨୦୧୪ ମସିହାରେ ସେମାନେ ଭାରତ ଫେରି ଆସିଥିବା ବେଳେ ନିମିଷା ସେଠାରେ ରହି ଯାଇଥିଲେ।
ଏହାପରେ ତଲାଲ ଓବଦା ମେହେଦି ନାମକ ୟେମେନ ନାଗରିକଙ୍କ ସହ ମିଶି ନିମିଷା ସେଠାରେ ଏକ ହସ୍ପିଟାଲ ଖୋଲିଥିଲେ। କିଛି ଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା। ଏହାପରେ ସେଥିରେ ଫାଟ ଦେଖାଦେଲା। ତଲାଲ ଓବଦା ନିମିଷାଙ୍କ ପାସପୋର୍ଟ ରଖି ଦେଇଥିବା ବେଳେ ନିମିଷା ଏ ନେଇ ସେଠାକାର ଥାନାରେ ଅଭିଯୋଗ କରିଥିଲେ।
ମାତ୍ର ଉଭୟ ପତିପତ୍ନୀ ହୋଇଥିବା ବେଳେ ଏହା ବ୍ୟକ୍ତିଗତ ମାମଲା ବୋଲି ତଲାଲ କହିଥିଲେ। ଫଳରେ ସେଠାକାର ପୁଲିସ୍‌ ଉକ୍ତ ମାମଲାରେ ହସ୍ତକ୍ଷେପ କରି ନ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନିମିଷା ନିଶା ଇଞ୍ଜେସନ ଦେଇ ତଲାଲଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ପାସପୋର୍ଟ ହାସଲ କରି ଭାରତ ଫେରିବାକୁ ଚାହୁଁଥିଲେ।
ମାତ୍ର ଏହା ସମ୍ଭବ ହୋଇ ପାରିଲା ନାହିଁ। ୟେମେନ ପୁଲିସ୍‌ ମାତ୍ର ୪ ଦିନରେ ଏହି ଘଟଣାର ପର୍ଦ୍ଦାଫାସ କରି ନିମିଷାଙ୍କୁ ବାନ୍ଧିଥିଲା। ପରେ ଏହି ମାମଲାର ବିଚାର କରି ନିମିଷାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ବିଚାରପତି । ଏହାକୁ ବିରୋଧ କରି ନିମିଷା ସେଠାକାର ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ତାହା ମଧ୍ୟ ଖାରଜ ହୋଇ ଯାଇଛି। ଫଳରେ ତାଙ୍କର ସମସ୍ତ ଆଶା ପାଣି ଫୋଟକା ପରି ମିଳାଇ ଯାଇଛି।
ଏହି ଘଟଣା ପରେ ୟେମେନ ଯିବାକୁ ଅନୁମତି ପାଇବାକୁ ନିମିଷାଙ୍କ ମା’ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେଠାରେ ସେ ନିଜ ଝିଅକୁ ଫାଶୀ ଦଣ୍ଡରୁ ରକ୍ଷା କରିବାକୁ ପୀଡ଼ିତ ପରିବାରକୁ ଭେଟି ଏହି ମାମଲାର ସମାଧାନ କରିବାକୁ ବ୍ୟଗ୍ର ଅଛନ୍ତି।

ad-week
Leave A Reply

Your email address will not be published.