ସମର୍ଥ ଶିବିର ଅନୁଷ୍ଠିତ ନିମନ୍ତେ ପ୍ରସ୍ତୁତି ଓ ସମନ୍ବୟ କମିଟି ବୈଠକ…

youtube

ଜଣେ ବି ଭିନ୍ନକ୍ଷମ ସୁବିଧାରୁ ବଞ୍ଚିତ ହେବେ ନାହିଁ – ଜିଲ୍ଲାପାଳ



ଛତ୍ରପୁର ତା.୨୧.୧୧.୨୦୨୩ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସଦ୍ଭାବନା ସମ୍ମିଳନୀ ପ୍ରକୋଷ୍ଠ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମର୍ଥ ଶିବିର ନିମନ୍ତେ ପ୍ରସ୍ତୁତି ଓ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ପ୍ରତି ବ୍ଲକ୍ ସଦର ମହକୁମାରେ ସମର୍ଥ ଶିବିରମାନ ଆୟୋଜିତ ହେବ । ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ ଅଭିଯାନ ଯୋଜନାରେ ଜିଲ୍ଲାରେ ରହିଥିବା ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଯେଭଳି ଉପକୃତ ହେବେ ସେଥି ନିମନ୍ତେ ଶିବିର ଗୁଡିକରେ ବ୍ଯବସ୍ଥା କରାଯିବ । ବ୍ଲକ୍ ସ୍ତରରେ ପୂର୍ବରୁ ରହିଥିବା ଭିନ୍ନକ୍ଷମ ତାଲିକାକୁ ଆଧାର କରି ଶିବିର ଆୟୋଜିତ ହେବ । ପ୍ରତି ଶିବିରରେ ଗୋଟିଏ ସ୍ଥାନରେ ନିଜନିଜ ବ୍ଲକ୍ ର ଭିନ୍ନକ୍ଷମ ବ୍ଯକ୍ତିଗଣ ଉପସ୍ଥିତ ରହିବେ ସେହି ଶିବିରରେ ସମସ୍ତ ପ୍ରମାଣ ପତ୍ର ସହିତ ଛାତ୍ରବୃତ୍ତି, ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ ଆୟ ପ୍ରମାଣ ପତ୍ର, ଭିନ୍ନକ୍ଷମ ପ୍ରମାଣ ପତ୍ର, ବସ୍ ଯାତ୍ରା ରିହାତି ପତ୍ର, ରେଳଯାତ୍ରା ରିହାତି ପତ୍ର, ଭିନ୍ନକ୍ଷମ ବ୍ୟବହାରକାରୀ ସାମଗ୍ରୀ ( Aids & Appliance) ଇତ୍ୟାଦି ଯେପରି ଗୋଟିଏ ସ୍ଥାନରେ ପାଇବେ ତାହାର ବ୍ଯବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବ ଦେଇଥିଲେ । ଜିଲ୍ଲାପାଳ ଅବଗତ କରାଇଥିଲେଯେ, ଜିଲ୍ଲାରେ ଏ ଯାବତ୍ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଆବେଦନ ପଡିରହିଛି ଯାହାର ପ୍ରମାଣ ପତ୍ର ଗୁଡିକ ଏ ଯାବତ୍ ଦିଆଯାଇପାରିନାହିଁ । ସେମାନେ ଯେପରି ଯଥାଶୀଘ୍ର ସ୍ବଳ୍ପ ଦିନରେ ( ବିଶେଷ କରି ୧୦ ଦିନ ମଧ୍ୟରେ) ସମସ୍ତ ପ୍ରମାଣ ପତ୍ର ପାଇବେ । ସେଥି ସକାଶେ ଆୟୋଜିତ ଶିବିର ଗୁଡିକରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ସକାଶେ ବିଭିନ୍ନ କାଉଣ୍ଟର ରହିବ । ପ୍ରତି କାଉଣ୍ଟର ଗୁଡିକରେ ଯଥେଷ୍ଟ ଷ୍ଟାଫ୍ ଯେମିତି ମୁତୟନ ହୋଇ କାର୍ଯ୍ୟ କରିବେ । ପ୍ରମାଣ ପତ୍ର ପ୍ରଦାନ ଜନିତ ଡାକ୍ତରୀ ଦଳ ନିର୍ଦ୍ଧାରୀତ ସମୟରେ ଉପସ୍ଥିତ ରହି ଯାଂଚ୍ କାର୍ଯ୍ୟ କରିବେ । ଆୟ ପ୍ରମାଣ ପତ୍ର ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କ ଅଧିକାରୀଗଣ ଉପସ୍ଥିତ ରହିବେ । ବସ୍ ଓ ରେଳ ଯାତ୍ରା ରିହାତି ପତ୍ର ନିମନ୍ତେ ଆଞ୍ଚଳିକ ପରିବହନ ବିଭାଗୀୟ ଅଧିକାରୀଗଣ ରହିବେ । ସେହିଭଳି ବିଭିନ୍ନ ସୁବିଧା ଯୋଗାଇ ଦେବା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ରହି ସେହି ସମ୍ପର୍କିତ ପ୍ରମାଣ ପତ୍ର ପ୍ରଦାନ ଦିଗରେ ଯତ୍ନବାନ ହେବେ । ବିଶେଷ କରି ଜିଲ୍ଲାରେ ପ୍ରତି ସପ୍ତାହରେ ଅନୁଷ୍ଠିତ ହେଉଥିବା ଅଭିଯୋଗ ପ୍ରକୋଷ୍ଠ ଗୁଡିକରେ ଡିଆରଆଇ ଲୋନ୍ ନିମନ୍ତେ ଅଧିକ ଆବେଦନ ଆସୁଅଛି । ଏଣୁ ଏହି ଅଭିଯୋଗ ପ୍ରକୋଷ୍ଠରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ସକାଶେ ଡିଆରଆଇ ଲୋନ୍ ପ୍ରଦାନ ଦିଗରେ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଉପସ୍ଥିତ ଥିବା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଉପଜିଲ୍ଲାପାଳ ମାନଙ୍କୁ ଅବଗତ କରାଇ ଥିଲେ । ଶିବିର ସମୟରେ ଭିଡ ଦେଖାଗଲେ ଅତ୍ୟଧିକ କାଉଣ୍ଟର ଗୁଡିକର ବ୍ୟବସ୍ଥା କରାଯିବ । ଗହଳୀକୁ ଠିକ୍ ରୂପେ ପରିଚାଳନା କରିବାକୁ ଅବଗତ କରାଇଥିଲେ । ମେଳାରେ ପାନୀୟ ଜଳଯୋଗାଣ, ଖାଦ୍ଯ ବ୍ଯବସ୍ଥା, ବସିବା ସ୍ଥାନ ଯେପରି ସଠିକ୍ ହେବ ଏବଂ ଏହାର ପରିଚାଳନା ଦିଗରେ କୌଣସି ଅସୁବିଧା ଯେପରି ହେବ ନାହିଁ ସେଥି ନିମନ୍ତେ ବ୍ଯବସ୍ଥା କରିବାକୁ କହିଥିଲେ । ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ (ଡି.ଏସ୍.ଏସ୍.ଓ) କଲ୍ୟାଣୀ ଦାଶ ସମର୍ଥ ଶିବିରର ବ୍ୟବସ୍ଥା ଏବଂ ଭିନ୍ନକ୍ଷମ ମାନଙ୍କୁ ଏହି ଶିବିରଟିରେ କେଉଁ ସବୁ ସୁବିଧା ଉପଲବ୍ଧ କରାଯିବ ସେ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ମହନ୍ତ, ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଆର୍ ଜଗଦୀଶ ପଟ୍ଟନାୟକ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.