ସୁନ୍ଦରଗଡ଼ଠାରେ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ…

add-all

ସୁନ୍ଦରଗଡ଼ : ସ୍ଥାନୀୟ ମାଦ୍ରି କାଲୋ ଭବନ ପରିସରରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ “ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା” ଉଦଘାଟିତ ହୋଇଯାଇଛି। ମତ୍ସ୍ୟ ତଥା ପ୍ରାଣୀ ସମ୍ପଦ ବିଭାଗ ଦ୍ଵାରା ଜନ ସାଧାରଣ ମାନଙ୍କ ପାଇଁ ପ୍ରଯୁଜ୍ୟ ଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ପ୍ରତ୍ୟେକ କ୍ଷେତ୍ର ରେ ପହଞ୍ଚାଇବା ତଥା ଏହି ଯୋଜନା ଗୁଡିକ ଦ୍ଵାରା ହିତାଧିକାରୀ ମାନେ ଲାଭବାନ ହେବା ସହିତ ସେମାନଙ୍କ ଜୀବନଧାରଣ ର ମାନଦଣ୍ଡ ରେ ଉନ୍ନତି ଆଣିବା ହେଉଛି ଏହି ମେଳା ର ମୁଖ୍ୟ ଉଦ୍ଦେଶ୍ୟ। ଏହି ମେଳା ଦୁଇ ଦିନ ଧରି ଚାଲିବ।
ଆଜିର ଏହି ଦୁଇ ଦିନିଆ ମେଳାର ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ କମଳ କୁମାର ଲାକ୍ରା, ସଦର ବିଧାୟିକା କୁସୁମ ଟେଟେ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡ଼ା. ବସନ୍ତ କୁମାର ଧଳ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରୁଣ ସାହୁ , ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ମତ୍ସ୍ୟ ଓ ପଶୁପାଳନ ସହିତ ଜଡ଼ିତ ଥିବା ପ୍ରାୟ ୧୦୦୦ ଜଣ ଚାଷୀ ଏଥିରେ ଯୋଗ ଦେଇଥିଲେ। ଏହି ମେଳା ରେ ବିଭିନ୍ନ ବିଭାଗ ଦ୍ଵାରା ପ୍ରାୟ ୪୦ ଗୋଟି ଷ୍ଟଲ କରାଯାଇଅଛି। ସେହିପରି ମତ୍ସ୍ୟ ବିଭାଗ ଦ୍ଵାରା ବାୟୋଫ୍ଲୋକ ପଦ୍ଧତି ମାଧ୍ୟମରେ ମାଛ ଚାଷ, କେଜ କୋଲଚର ପ୍ରଣାଳୀ, ହାଚେରି ତଥା ସମନ୍ୱିତ ଚାଷ ପ୍ରଣାଳୀ ଆଦି ର ବିଶେଷଜ୍ଞ ମାନଙ୍କ ଦ୍ଵାରା ପ୍ରଦର୍ଶନୀ ହେଉଅଛି। ଆଗ୍ରହୀ ମତ୍ସ୍ୟ ଚାଷୀ ମାନେ ଏଥିରେ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ମାଛ ଚାଷ ନିମନ୍ତେ ପ୍ରଶିକ୍ଷଣ ମଧ୍ୟ ନେଇପାରିବେ।
ଏହି ଅବସର ରେ ବାୟୋଫ୍ଲକ ପଦ୍ଧତି ରେ ମାଛ ଚାଷ କ୍ଷେତରେ ଅତୁଳନୀୟ ସଫଳତା ନିମନ୍ତେ ରାଜଗାଙ୍ଗପୁର ବ୍ଲକ ର ଶୁଭଶ୍ରୀ ସାମଲ ଏବଂ ବଡ଼ଗାଁ ବ୍ଲକ ଅନ୍ତର୍ଗତ ବନ୍ଧଢ଼ିପାର ଶିବାନୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠି କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସ୍ୱୟଂ ସହାୟକ ମହିଳା ଗୋଷ୍ଠି ସ୍ଥାନୀୟ ଗ୍ରାମପଞ୍ଚାୟତ ର ଟ୍ୟାଙ୍କ ବ୍ୟବହାର କରି ମାଛ ଚାଷ କରୁଛନ୍ତି। ସେହିଭଳି ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ବିଶ୍ରା ବ୍ଲକର ଦୁଗ୍ଧ ଚାଷୀ ରାଜୀବ ମହାରଣା ଏବଂ ଟାଙ୍ଗରପାଲି ବ୍ଲକର ଗାୟତ୍ରୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠିକୁ କୁକୁଡ଼ା ଚାଷ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସକାଶେ ସେମାନଙ୍କୁ ନଗଦ ୫,୦୦୦ ଟଙ୍କା ଅର୍ଥ ରାଶି ସହିତ ଉତ୍ତରୀୟ, ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ପରେ ପରେ ବିଭିନ୍ନ କଳାକାର ମାନଙ୍କ ଦ୍ଵାରା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ଵାରା ଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଜନସଚେତନତାଧର୍ମି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ad-week
Leave A Reply

Your email address will not be published.