
ଫୁଲବାଣୀ : କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଓ ସମାଧାନ) ଆଇନ- ୨୦୧୩ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲଳିତ କୁମାର ପଟ୍ଟନାୟକ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, କର୍ମକ୍ଷେତ୍ରରେ ଯଦି ଜଣେ ମହିଳାଙ୍କୁ ତାଙ୍କର ପୁରୁଷ କର୍ମଚାରୀ ବା ଅଧିକାରୀ କିମ୍ବା ନିଯୁକ୍ତିଦାତା ଏପରିକି ମହିଳାଙ୍କ ଶାଢ଼ୀକୁ ବି ପ୍ରଶଂସା କରେ ଏବଂ ବାରମ୍ବାର ଏହିଭଳି କାର୍ଯ୍ୟ କରେ ତେବେ ତାହାକୁ ଯୌନ ନିର୍ଯାତନା ବୋଲି କୁହାଯିବ । ତେବେ ମହିଳା ଜଣଙ୍କ ଯଦି ତାଙ୍କ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଅଭିଯୋଗ କରନ୍ତି ତେବେ, ତେବେ କମିଟି ୧୦ ଦିନ ମଧ୍ୟରେ ଏହାର ସମାଧାନ କରିବା ପାଇଁ ବ୍ୟବସ୍ଥା ରହିଛି । ସେହିପରି, ଆଇନ ସହାୟତା ପ୍ରତିରକ୍ଷା ପରିଷଦର ମୁଖ୍ୟ ପରାମର୍ଶଦାତା ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ କହିଲେ, କର୍ମକ୍ଷେତ୍ରରେ ମହିଳାମାନେ ପୁରୁଷ ମାନଙ୍କ ଦ୍ୱାରା ଯୌନ ନିର୍ଯାତିତ ହୋଇଆସୁଛନ୍ତି । ମାତ୍ର ସେମାନେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି କିମ୍ବା ସ୍ଥାନୀୟ
ଅଭିଯୋଗ କମିଟିରେ ଅଭିଯୋଗ ପତ୍ର ଦାଖଲ କରୁନାହାଁନ୍ତି । ଉପସ୍ଥିତ କର୍ମଜୀବୀ ଝିଅ ଓ ମହିଳା ମାନଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଏହିଭଳି କମିଟିମାନ ଗଠନ କରାଯାଇଛି କି ନାହିଁ ପଚାରି ବୁଝିଥିଲେ । ସେମାନେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମହିଳାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅଭିଯୋଗ କମିଟି କିମ୍ବା ଆଇନ ସହାୟତା ପ୍ରତିରକ୍ଷା ପରିଷଦର ସହାୟତା ନେବା ଆବଶ୍ୟକ ବୋଲି ଶ୍ରୀମତୀ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ। ତେବେ, ମହିଳାମାନେ
ନିଜର ସ୍ବାର୍ଥ ହାସଲ ପାଇଁ ମିଥ୍ୟା ଅଭିଯୋଗ କରିବା ଉଚିତ୍ ନୁହେଁ ବୋଲି କହିବା ସହିତ ଅଭିଯୋଗ ଦାଖଲର ପ୍ରଣାଳୀ ଉପରେ ସେ ସୂଚନା ଦେଇଥିଲେ। ଆଇନଜୀବୀ ରଞ୍ଜନ କୁମାର ଦାସ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୌନ ନିର୍ଯାତନାର ପ୍ରକାରଭେଦ ଉପରେ ସୁଚନା ଦେଇଥିଲେ। ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କନ୍ଧମାଳ, ଫୁଲବାଣୀ ଶ୍ରୀମତୀ ଅନୁଶିଳା ରୟ ପାୱାର ପଏଣ୍ଟ ମାଧ୍ୟମରେ ପୋଶକ ଆକ୍ଟ, ସମ୍ପର୍କରେ ଆଲୋଚନା କରିଥିଲେ। ସେ ଭାରତୀୟ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ସ୍ବର୍ଗତ ଜେ.ଏସ୍. ବର୍ମାଙ୍କ ବିଶାଖା ବନାମରାଜସ୍ଥାନ ପ୍ରଦେଶ ସମର୍କୀତ ରାୟରେ ଭାରତୀୟ ସମ୍ବିଧାନରେ ଦଆଯାଇଥିବା ମୌଳିକ ଅଧିକାର ଲିଙ୍ଗଗତ ସମାନତା ଉଲ୍ଲେଖ ଥିବା କଥା କହିଥିଲେ। ଭାରତୀୟ ସମ୍ବିଧାନର ପ୍ରସ୍ତାବନା ଏବଂ ଧାରା
୧୪, ୧୫, ୧୯,ଓ ୨୧ରେ ସମାନତା ଓ ବ୍ୟକ୍ତିଗତ ସ୍ବାଧୀନତାର ନୀତି ରହିଛି ‘‘ ସୁରକ୍ଷିତ କର୍ମକ୍ଷେତ୍ର ମହିଳାଙ୍କ ଆଇନଗତ ଅଧିକାର’’ । ମହିଳାମାନେ ହଇରାଣକାରୀଙ୍କ ଠାରୁ ପ୍ରତିଶୋଧ ଭୟ, ଜୀବିକା ହରାଇବା ଭୟ,ଅପମାନିତ ହେବା ଭୟ, ବ୍ୟକ୍ତଗତ ଖ୍ୟାତି ହରାଇବା ଭୟ ଯୋଗୁଁ ଅଭିଯୋଗ କରନ୍ତି ନାହିଁ । ସେଥିପାଇଁ ଯୌନ ନିର୍ଯାତନା ମୁକ୍ତ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ପ୍ରଦାନ କରିବା ପାଇଁ ଆଇନରେ ନିର୍ଦ୍ଦେଶ ଅଛି । ଶାରୀରିକ ସମ୍ପର୍କ ଏବଂ
ଅଗ୍ରଗତି,ଯୌନ ସମ୍ପର୍କୀତ କାର୍ଯ୍ୟ ପାଇଁ ଦାବି କିମ୍ବା ଅନୁରୋଧ,ଯୌନସମ୍ପର୍କୀତ ମନ୍ତବ୍ୟ ଦେବା,ପର୍ଣ୍ଣୋଗ୍ରାଫ ଦେଖାଇବା,ଯୌନ ସମ୍ପର୍କୀତ ଅନ୍ୟ କୌଣସି ଅବାଞ୍ଛିତ ଶାରୀରିକ, ମୌଖିକ କିମ୍ବା ଅଣମୌଖିକ ଆଚରଣ ପ୍ରଦର୍ଶନଇତ୍ୟାଦି ହେଉଛି ଯୌନ ନିର୍ଯାତନା। ଯୌନ ନିର୍ଯାତିତ ମହିଳା ୩ ମାସ ମଧ୍ୟରେ ଲିଖିତ ଆକାରରେ ଅଭିଯୋଗ ଦାଖଲକରିବେ ।ଶାରୀରିକ କିମ୍ବା ମାନସିକ ଅକ୍ଷମତା କିମ୍ବା ମୃତ୍ୟୁ କ୍ଷେତ୍ରରେ ତାଙ୍କର ଆଇନଗତ ଉତ୍ତରାଧିକାରୀ ଅଭିଯୋଗ ଦାଖଲ କରିପାରିବେ । ଏଥିରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା, ଦୁଇଗୁଣ ଦଣ୍ଡ କିମ୍ବା ଅଧିକ ଦଣ୍ଡ ବ୍ୟବସ୍ଥା ରହିଛି ।ନାସାର ଜାତୀୟ ହେଲୁଲାଇନ ନମ୍ବର ୧୫୧୦୦ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ସମ୍ମୁଖ କାର୍ଯ୍ୟଳୟର ହେଲ୍ପଲାଇନ ନମ୍ବର ୦୬୮୪୨- ୨୫୩୦୩୪ ବୋଲି ଆଲୋଚନାରୁ ଜଣାପଡ଼ିଛି । ଏହି ସଚେତନ କାର୍ଯ୍ୟକ୍ରମରେ ଫୁଲବାଣୀ ରେ ଥିବା ସମସ୍ତ କାର୍ଯ୍ୟାଳୟର ମହିଳା କର୍ମଚାରୀମାନେ ଯୋଗଦେଇଥିଲେ ।