ତେଲୁଗୁ ମୁଭି ‘ଗାରାଗା’ରେ ନାୟିକା ଭାବେ ନଜର ଆସିବେ ମାଲକାନଗିରିର ମୋନିକା…

add-all

Screenshot-2023-11-26-183842

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌.ଭି ୭୫ ଗ୍ରାମର ମୋନିକା ସମାଦ୍ଦାର ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଉପାନ୍ତ ଇଲାକାର ଏହି ଯୁବତୀଜଣଙ୍କ ନିଜର ପ୍ରତିଭା, ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ ପାଇଁ ଏତେବଡ଼ ଉପଲବ୍ଧି ହାସଲ କରିଛନ୍ତି। ମୋନିକାଙ୍କ ବାପା ଗୌତମ ସମାଦ୍ଦାର ପେସାରେ ଜଣେ ଛୋଟ ବ୍ୟବସାୟୀ। ବଡ଼ଭାଇ ହାଇଦ୍ରାବାଦରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି। କିନ୍ତୁ ଅଭାବ ଅନଟନ ସତ୍ତ୍ବେ ମୋନିକା ମାଲକାନଗିରିର ଏକ ଘରୋଇ କଲେଜ୍‌ରେ +୨ ପାଠ ଶେଷ କରିବା‌ ପରେ ବଡ଼ଭାଇଙ୍କ ସହ ହାଇଦ୍ରାବାଦ ଯାଇ ନୃତ୍ୟକଳା ଶିଖିଥିଲେ। ବଡ଼ଭାଇ ମୋନିକାଙ୍କୁ ହାଇଦ୍ରାବାଦର “ହାଇ-ଡ୍ୟାନ୍ସ ଷ୍ଟୁଡିଓ” ନାମକ ଏକ ଏକାଡେମୀରେ ଭର୍ତ୍ତି କରାଇଥିଲେ। ୨ବର୍ଷ ସେଠାରେ ତାଲିମ୍‌ ନେବା ପରେ କିଛି ଛୋଟ ଧାରାବାହିକରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା। ତାଙ୍କ ଚମତ୍କାର ଅଭିନୟ ଓ ସୌନ୍ଦର୍ଯ୍ୟ ତେଲୁଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଆକର୍ଷିତ କରିଥିଲା। ଏବେ ତାଙ୍କୁ ସେଠାକାର ସିନେମାରେ ନାୟିକା ଭୂମିକାରେ ସୁଯୋଗ ମିଳିଛି।

ମୋନିକା ‘ଶ୍ରୀନିବାସ କ୍ରିଏସନ୍’ ଦ୍ବାରା ନିର୍ମିତ ତେଲୁଗୁ ଚଳଚ୍ଚିତ୍ର “ଗାରାଗା”ରେ ନାୟିକା ଭାବେ ଖୁବ୍‌ଶୀଘ୍ର ପରଦାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ସୁଟିଂ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଜିୟୱାଡା ଅଞ୍ଚଳରେ ଚାଲିଛି। ଚଳଚ୍ଚିତ୍ରଟି ପ୍ରଥମେ ତେଲୁଗୁ ଏବଂ ପରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ପିଲାଟି ଦିନରୁ ନୃତ୍ୟ-ଗୀତ ପ୍ରତି ମୋନିକାଙ୍କ ଦୁର୍ବଳତା ରହିଥିଲା। ଚଳଚ୍ଚିତ୍ରରେ କାମ କରିବା ତାଙ୍କର ସ୍ବପ୍ନ ଥିଲା। ଏବେ ତାଙ୍କର ସେହି ସ୍ବପ୍ନ ସାକାର ହେବାକୁ ଯାଉଛି ବୋଲି ତାଙ୍କ ପରିବାରଲୋକ କହିଛନ୍ତି।

ad-week
Leave A Reply

Your email address will not be published.