ଥାନା ଅଧିକାରୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା…

add-all

Jajpur_1703943255

ଯାଜପୁର : ଥାନା ଗାଡ଼ି ଡ୍ରାଇଭରଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା। ଥାନା ଅଧିକାରୀଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା(NBW)। ଯାଜପୁର ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ଗତ ୨୬ ତାରିଖରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ପରେ ଥାନା ଅଧିକାରୀଙ୍କ ଟେନ୍‌ସନ୍‌ ବଢ଼ିଛି।
୨୦୨୨ ମସିହା ମାର୍ଚ୍ଚ ୩ ତାରିଖରେ ସୁକିନ୍ଦା ଥାନାରେ କାର୍ଯ୍ୟରତ ଡ୍ରାଇଭର ସୁକୁମାର ସ୍ୱାଇଁ ଅସୁସ୍ଥ ରହିଥିଲେ। ତେଣୁ ସେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ସେହି ଦିନ ସନ୍ଧ୍ୟାରେ ଥାନା ଅଧିକାରୀ ଶିବ ଚରଣ ବେହେରା ମେଡ଼ିକାଲ୍‌ରେ ପହଞ୍ଚି ଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି କଥା ମାରପିଟ୍‌ ପର୍ଯ୍ୟନ୍ତ ଯାଇଥିଲା। ସୁକୁମାରଙ୍କ ବାପା, ମାଆ ଓ ଭାଇଙ୍କୁ ଥାନା ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲେ। ସାଲାଇନ୍‌ ବୋଟଲ୍‌ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି।
ନିଜେ ଆକ୍ରମଣ କରିଥିଲେ ସୁଦ୍ଧା ଆକ୍ରମଣ ଅଭିଯୋଗରେ ସୁକୁମାରଙ୍କୁ ମେଡ଼ିକାଲ୍‌ରୁ ଥାନାକୁ ନେଇଥିଲେ ଥାନା ଅଧିକାରୀ ଶିବ ଚରଣ ବେହେରା। ଏହାର ପ୍ରତିବାଦରେ ୨୦୨୨ ମସିହା ମାର୍ଚ୍ଚ ୧୬ ତାରିଖରେ ସୁକୁମାରଙ୍କ ମାଆ ସୁକିନ୍ଦା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସତ୍ୟପାଠରେ ସେ ଦର୍ଶାଇଥିଲେ, ମେଡ଼ିକାଲରେ ଚିକିତ୍ସାଧୀନ ସୁକୁମାର ଓ ତାଙ୍କ ପରିବାର ଲୋକଙ୍କୁ ଥାନା ଅଧିକାରୀ ଶିବଚରଣ ବେହେରା ଆକ୍ରମଣ କରିଥିଲେ। ପରେ ଥାନା ଭିତରେ ପଶି ସୁକୁମାରଙ୍କୁ ଥାନା ଅଧିକାରୀଙ୍କ ବାପା ପଞ୍ଚାନନ ବେହେରା ମାଡ଼ ମାରିଥିବା ନେଇ ସତ୍ୟପାଠରେ ଦର୍ଶାଇଥିଲେ।
ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ମାମଲାର ଗୁରୁତ୍ୱକୁ ଦେଖି ହାଜର ହେବା ପାଇଁ ନୋଟିସ୍‌ କରିଥିଲେ। ହେଲେ ଶିବ ଚରଣ ବେହେରା ଓ ତାଙ୍କ ବାପା ପଞ୍ଚାନନ ବେହେରା କୋର୍ଟରେ ହାଜର ହୋଇନଥିଲେ। ଏପରିକି କୌଣସି ସତ୍ୟପାଠ ଦାଖଲ କରିନଥିଲେ। ଯାହାଫଳରେ ଗତ ୨୬ ତାରିଖରେ ଶିବ ଚରଣ ବେହେରା ଓ ତାଙ୍କ ବାପା ପଞ୍ଚାନନ ବେହେରାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ। ଶିବ ଚରଣ ବେହେରା ବର୍ତ୍ତମାନ କଟକ ଜିଲ୍ଲା ବାଙ୍କୀ ଥାନାରେ କାର୍ଯ୍ୟରତ ଅଛନ୍ତି।
ସେପଟେ ଏହି ଘଟଣାକୁ ନେଇ ସୁକୁମାରଙ୍କ ମାଆ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ମହିଳା କମିଶନଙ୍କ ଦ୍ୱାରାସ୍ଥ ହୋଇଥିଲେ।

ad-week
Leave A Reply

Your email address will not be published.