ଗାଁକୁ ରାସ୍ତା ନାହିଁ, ଚାଙ୍ଗୁ ବଜାଇ ପ୍ରତିବାଦ କଲେ ଲୋକେ…

add-all

Villagers_1704195722

କେନ୍ଦୁଝର : ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା! ଖଣି ଖାଦାନରେ ଭରପୂର ଥିବାରୁ ଧନୀ ଜିଲ୍ଲା ଭାବେ ପରିଚୟ ପାଇଛି! ହେଲେ ଦୁଃଖର ବିଷୟ ଏହି ଧନୀ ଜିଲ୍ଲାରେ ଦେଖିବାକୁ ମିଳିଛି ବିକଳ ଚିତ୍ର। ଆଜି ପର୍ଯ୍ୟନ୍ତ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ଯାଇନି। ବିଜୁଳି କଥା ନକହିବା ଭଲ। ବାରମ୍ୱାର ବ୍ଲକ୍‌ ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ଆଜି ପିଲ୍ଲାପାଳଙ୍କ ପାଖରେ ଗୁହାରୀ କରିବାକୁ ଆସିଛନ୍ତି। ଚାଙ୍ଗୁ ବଜାର ଗାଁର ସମସ୍ୟା ଗୁଡ଼ିକୁ ଗୀତ ମାଧ୍ୟରେ ଗାଇ ପ୍ରତିବାଦ କରିଛନ୍ତି।
ତେଲକୋଇ ବ୍ଲକ୍‌ ଗୋଡିନର୍ଦ୍ଦା ଗାଁ। ଏହି ଗାଁରେ ୫୦୦ରୁ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାର ଲୋକ ବସବାସ କରନ୍ତି। ସମସ୍ତେ ଜଙ୍ଗଲ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ଗାଁକୁ ଭଲ ରାସ୍ତା ଖଣ୍ଡିଏ ହୋଇପାରିଲାନି। ଯେଉଁଥିପାଇଁ ଗାଁ ଲୋକଙ୍କୁ ନାନା ଦହଗଞ୍ଜ ହେବାକୁ ପଡ଼ୁଛି। ଗାଁକୁ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଏଥିରେ ଗୁରୁତର ରୋଗୀ, ଗର୍ଭବତୀ ଓ ବୃଦ୍ଧବୃଦ୍ଧିମାନେ ବେଶୀ ଅସୁବିଧାରେ ପଡ଼ୁଛନ୍ତି। ରୋଗୀଙ୍କୁ ୫ କିମି ରାସ୍ତା ପଙ୍ଗା ଗାଁ ମୁଣ୍ଡ ପର୍ଯ୍ୟନ୍ତ ଭାର କରି ନେବାକୁ ପଡୁଛି। ଭାରରେ ବୋହିବା ବେଳେ ଅନେକ ସମୟରେ ମହିଳାମାନେ ପ୍ରସବ କରିଦେଉଥିବା ଦେଖିବାକୁ ମିଳିଛି।
ଗାଁକୁ ପିଡ଼ିଏସ୍‌ ଚାଉଳ ଯାଇପାରୁ ନାହିଁ। ପିଡିଏସ ଚାଉଳ ଆଣିବାକୁ ଗାଁ ଲୋକଙ୍କୁ ଘାଟି ଓ ପଥୁରିଆ ରାସ୍ତାରେ ଅନେକ ପଥ ଚାଲି ଚାଲି ଯିବାକୁ ପଡୁଛି। ଏଭଳି ସ୍ଥିତିରେ ବିଜୁଳି କଥା ପଚାରେ କିଏ? ଆଜି ପର୍ଯ୍ୟନ୍ତ ଗାଁକୁ ବିଜୁଳି ଯାଇପାରି ନାହିଁ। ଏ ନେଇ ଗାଁ ଲୋକେ ଅନେକ ବାର ତେଲକୋଇ ବିଡିଓଙ୍କ ନିକଟରେ ଗୁହାରୀ କରିଛନ୍ତି। ରାସ୍ତା ଓ ଅନ୍ୟ ସମସ୍ୟାର ସମାଧାନ ପାଇଁ ଗାଁ ଲୋକେ କେତେ ନେହୁରା ହୋଇଛନ୍ତି। ହେଲେ ଗାଁ ଲୋକେ ନିରାଶ ହୋଇଛନ୍ତି। ପୂର୍ବ ପରି ଆଜି ମଧ୍ୟ ଗାଁ ଲୋକ ଯନ୍ତ୍ରଣା ଦାୟକ ଜୀବନ ବିତାଉଛନ୍ତି।
ବ୍ଲକ ପ୍ରଶାସନଠାରୁ ବାରମ୍ୱାର ନିରାଶ ହୋଇ ଆସି ଗାଁ ଲୋକେ ଅଭିନବ ଉପାୟରେ ପ୍ରତିବାଦ କରୁଛନ୍ତି। ଚାଙ୍ଗୁ ବଜାଇ ଜୁଆଙ୍ଗ ଭାଷାରେ ଗୀତା ଗାଇ ଦାବି ଉପସ୍ଥାପନ କରିଛନ୍ତି। ଏଥିସହ ଗାଁ ମହିଳାମାନେ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ପରେ ଗାଁ ଲୋକେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଭାଗ ନେଇଥିଲେ। ଆଉ ଜିଲ୍ଲାପାଳଙ୍କୁ ଗାଁରେ ଥିବା ସମସ୍ୟା ସମ୍ପର୍କରେ ବଖାଣିଥିଲେ। ଗାଁରେ ଥିବା ସମସ୍ୟା ସମାଧାନ କରାଯିବ ବୋଲି ଗାଁ ଲୋକଙ୍କୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଗାଁ ଲୋକଙ୍କ ଅଭିଯୋଗ ନେଇ ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି, ଗାଁକୁ ରାସ୍ତା ଓ ବିଜୁଳି ସଂଯୋଗ ଆତି ଶୀଘ୍ର କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.