ମାଟି ତଳୁ ଖପୁରୀ ବାହାର କରି କିଏ କରୁଛି ମନ୍ତ୍ରତନ୍ତ୍ର !

add-all

DKL_1704374791

ଢେଙ୍କାନାଳ : ୭ ମାସ ତଳେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ହେଲେ ବୁଧବାର ବିଳମ୍ୱିତ ରାତିରେ ଗାତ ଖୋଳାଯାଇ ମାଟି ତଳୁ ମହିଳାଙ୍କ ଖପୁରୀ ବାହାର କରାଯାଇ ପୂଜାର୍ଚ୍ଚନା କରାଯାଉଛି। ତେବେ କିଏ ଓ କାହିଁକି ଏପରି କାର୍ଯ୍ୟ କରୁଛନ୍ତି? ତାହା ଜଣାପଡ଼ି ନାହିଁ। ମନ୍ତ୍ରତନ୍ତ୍ର ପାଇଁ ଏପରି କାର୍ଯ୍ୟ କରାଯାଇଥିବା ଚର୍ଚ୍ଚା ହେଉଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରୁ ଆସିଛି ଏମିତି ଚିତ୍ର।
ଆଳତୁମା ଗାଁର ଦ୍ରୌପଦୀ ନାଥଙ୍କର ୨୦୨୩ ମସିହା ଜୁନ ୧୫ ତାରିଖରେ ମୃତ୍ୟୁ ଘଟିଥିଲା। ସାହିଭାଇ ଓ ପରିବାର ଲୋକ ରାମିଆଳ ନଦୀ କୂଳରେ ଥିବା ନିଜ ଜମିରେ ବିଧିବିଧାନ ଅନୁସାରେ ଦ୍ରୌପଦୀଙ୍କ ମୃତଦେହ ସତ୍କାର କରିଥିଲେ। ମାଟି ଖୋଳି ମୃତଦେହ ପୋତି ଦେଇଥିଲେ। ୭ ମାସ ପରେ ଅର୍ଥାତ ଆଜି ସକାଳେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ଦ୍ରୌପଦୀଙ୍କ ମୃତଦେହ ପୋତା ଯାଇଥିବା ପିଣ୍ଡିକୁ ଖୋଳା ଯାଇଛି। ଆଉ ମାଟି ତଳୁ ଦ୍ରୌପଦୀଙ୍କ ଖପୁରୀ ବାହାରକୁ ଅଣା ଯାଇ ପୂଜା କରାଯାଇଛି।
ପିଣ୍ଡି ପାଖରେ ଗୋଟିଏ ନାଲି ଗାମୁଛା ବିଛା ଯାଇଛି। ଆଉ ତା’ଉପରେ ଖପୁରୀ ରଖାଯାଇଛି। ସେହି ଖପୁରୀରେ ସିନ୍ଦୂର ଲଗା ଯାଇଛି। ଆଉ ଧୂପ, ଦୀପ ଓ ଫୁଲ ଦେଇ ପୂଜା କରାଯାଇଛି। ସେଠାରେ ମଧ୍ୟ ଗୋଟିଏ କଂସା ଥିବା ଦେଖିବାକୁ ମିଳିଛି। ଗୁଣି ଗାରେଡି ଉଦ୍ଦେଶ୍ୟରେ କେହି ପୂଜା କରିଥିବା ଚର୍ଚ୍ଚା ହେଉଛି। ଦ୍ରୌପଦୀଙ୍କ ମୃତ୍ୟୁର ୭ ମାସ ପରେ କିଏ ଓ କାହିଁକି ଏପରି କାର୍ଯ୍ୟ କରିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଦ୍ରୌପଦୀଙ୍କ ପୁଅ।

ad-week
Leave A Reply

Your email address will not be published.