
କଟକ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି କଟକରେ ପହଞ୍ଚି ବାଲିଯାତ୍ରା ମହୋତ୍ସବର ଆନୁଷ୍ଠାନିକ ଉଦ୍ଘାଟନ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମ୍ପର୍କରେ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ମହାନଦୀ କୂଳରେ ଆୟୋଜିତ ଏହି ଐତିହାସିକ ବାଲିଯାତ୍ରା ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ, ବାଣିଜ୍ୟିକ ପରମ୍ପରା ଓ ଗୌରବମୟ ସଂସ୍କୃତିର ପ୍ରତୀକ। ପ୍ରାଚୀନ କାଳରେ ଓଡ଼ିଆ ସାଧବମାନେ ବୋଇତରେ ସୁଦୂର ଇଣ୍ଡୋନେସିଆ, ଜାଭା, ସୁମାତ୍ରା ଓ ବାଲି ଆଦି ଦେଶକୁ ବାଣିଜ୍ୟ ପାଇଁ ଯାତ୍ରା କରୁଥିଲେ। ସେହି ଗୌରବମୟ ଐତିହ୍ୟକୁ ମନେ ପକାଇ ପ୍ରତିବର୍ଷ କଟକରେ ବାଲିଯାତ୍ରା ମହାଆଡ଼ମ୍ବରରେ ଆୟୋଜିତ ହୋଇଥାଏ।ଚଳିତ ବର୍ଷ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବାରୁ ଉତ୍ସବର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି।
