
ଭୁବନେଶ୍ବର: ପୁଣି ବାତ୍ୟା ଭୟ । ବଙ୍ଗୋପସାଗରେ ଆସୁଛି କି ଆଉ ଏକ ବାତ୍ୟା । ଏନେଇ ପୂର୍ବାନୁମାନ କରିଛନ୍ତି ଆର୍ନ୍ତଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ । ନଭେମ୍ବର ୧୩ ସୁଦ୍ଧା ଦକ୍ଷିଣ- ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ବଳୟ ସୃଷ୍ଟି ହେବ। ଏହି ସିଷ୍ଟମ୍ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଚଳିତ ସପ୍ତାହ ଶେଷ ସୁଦ୍ଧା ଅଧିକ ଶକ୍ତିଶାଳୀ ହେବ । ଏହା ୧୪ ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।
୧୫ ବେଳକୁ ଅବପାତ ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛନ୍ତି ଜାସନ । ଆସନ୍ତା ସପ୍ତାହରେ ଏହି ସିଷ୍ଟମ୍ ଯୋଗୁଁ ସ୍ଥଳଭାଗରେ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ସତର୍କ ରହିବାକୁ ଏବଂ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ଜାସନ ।
