ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପୂଜା ପାଇବେ କଳା ରଙ୍ଗର ପଥରରେ ତିଆରି ରାମ ଲଲା…

add-all

IMAGE_1704544525

ଅଯୋଧ୍ୟା : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ପ୍ରତିଦିନ ଆସୁଛି କିଛି କିଛି ରୋଚକ ତଥ୍ୟ। ଆଜି ରାମ ଲଲାଙ୍କ ମୂର୍ତ୍ତିକୁ ନେଇ ଆସିଛି ଏକ ତଥ୍ୟ। ରାମ ଲଲାଙ୍କର ୫ ବର୍ଷର ଶିଶୁ ସୁଲଭ ମୂର୍ତ୍ତି ଏଠାରେ ପୂଜା ପାଇବେ ବୋଲି ପୂର୍ବରୁ ଜଣାପଡ଼ି ସାରିଥିବା ବେଳେ ଆଜି ଜଣାପଡ଼ିଛି ଯେ କଳା ରଙ୍ଗର ପଥରରେ ସେହି ମୂର୍ତ୍ତିକୁ ତିଆରି କରାଯାଇଛି। ଏହି ସୂଚନା ଦେଇଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ।
ସେ ତାଙ୍କ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଭଗବାନ ଶ୍ରୀ ରାମ ଲଲାଙ୍କର ଯେଉଁ ମୂର୍ତ୍ତି ତିଆରି ହୋଇଛି, ତାହା ଏକ ପାଞ୍ଚ ବର୍ଷର ବାଳକ ସ୍ୱରୂପ। ଶିଶୁ ସୁଲଭ ସରଳତା, ରାଜପୁତ୍ର ଓ ଦୈବତ୍ୱର ସମାହାରରେ ମୂର୍ତ୍ତିଟି ତିଆରି ହୋଇଛି। ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ରହିଛି। କଳା ପଥରରେ ଏହାକୁ ତିଆରି କରାଯାଇଛି। ମୂର୍ତ୍ତିଟି ବହୁତ ଆକର୍ଷଣୀୟ ହୋଇଛି।
ଜାନୁଆରୀ ୨୨ରେ ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ରାମ ମନ୍ଦିରରେ ରାମ ଲଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ଧାର୍ଯ୍ୟ ହୋଇଛି। ଏ ସଂପର୍କିତ ସୂଚନା ଗତକାଲି ଆସିଥିଲା। ଜାନୁଆରୀ ୨୨ରେ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ମଧ୍ୟରେ ହେବ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା। ସେହିଦିନ ସବୁଠୁ ଶୁଭ, ସବୁଠୁ ଦିବ୍ୟ ଓ ସବୁଠୁ ମାହେନ୍ଦ୍ର ଏହି ୮୪ ସେକେଣ୍ଡରେ ହିଁ ହେବ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା। ସେଦିନ ୧୧ଟା ୫୧ରୁ ୧୨ଟା ୩୩ ଯାଏ ଥିବା ଅଭିଜିତ ମୁହୂର୍ତ୍ତ ରହିଛି। ହେଲେ ସବୁ ଦୃଷ୍ଟିରୁ ୧୦ଟି ଶୁଭଲକ୍ଷଣ ଯୁକ୍ତ ହୋଇଥିବାରୁ ଏହି ୮୪ ସେକେଣ୍ଡ ସମୟକୁ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବାଛିଛନ୍ତି ବାରାଣସୀର ବୈଦିକ ଆଚାର୍ଯ୍ୟ।
୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ। କିନ୍ତୁ ତା’ ୬ ଦିନ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ। ୧୬ ତାରିଖରେ ସରଜୁ ନଦୀ କୂଳରେ ଅଭିଷେକ ଆରମ୍ଭ ହେବ, ୧୭ ତାରିଖରେ ମଙ୍ଗଳ କଳସ ଯାତ୍ରା, ୧୮ରେ ଗଣେଶ ଅମ୍ବିକା ପୂଜା ହୋଇ ୧୯ରେ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ସ୍ଥାପନା କରାଯିବ। ୨୦ ତାରିଖରେ ଗର୍ଭ ଗୃହକୁ ସରଜୁ ନଦୀ ପାଣିରେ ଶୁଦ୍ଧପୁତ କରାଯାଇ ହେବ ବାସ୍ତୁ ଶାନ୍ତି। ୨୧ ତାରିଖରେ ରାମଲାଲାଙ୍କ ଦିବ୍ୟଅଙ୍ଗକୁ ୧୨୫ ଗରା ପାଣିରେ ସ୍ନାନ କରାଯିବ। ଆଉ ୨୨ରେ ନିଜ ଆସ୍ଥାନରେ ବିରାଜିବେ ରାମ ଲଲା।

ad-week
Leave A Reply

Your email address will not be published.