କାନପୁର ଆଇଆଇଟି ହଷ୍ଟେଲ୍‌ ରୁମ୍‌ରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

IIT_Kanpur_1705575336

କାନପୁର : କାନପୁର ଆଇଆଇଟିରେ ପିଏଚ୍‌ଡି କରୁଥିବା ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ତାଙ୍କ ହଷ୍ଟ୍ରେଲ ରୁମ୍‌ରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରିୟଙ୍କା ଜୟସ୍ୱାଲ। ତାଙ୍କ ଘର ଝାଡ଼ଖଣ୍ଡର ଡୁମ୍‌କାରେ।
ଆଜି ସକାଳେ ପ୍ରିୟଙ୍କାଙ୍କ ବାପା ନରେନ୍ଦ୍ର ଜୟସ୍ୱାଲ ତାଙ୍କ ହଷ୍ଟେଲ ମ୍ୟାନେଜରଙ୍କୁ ଫୋନ୍ କରିଥିଲେ। ପ୍ରିୟଙ୍କା ଫୋନ୍ ଉଠାଉ ନଥିବା ସେ କହିଥିଲେ। ଏହା ପରେ ହଷ୍ଟେଲ ମ୍ୟାନେଜର ପ୍ରିୟଙ୍କାଙ୍କ ରୁମ୍‌ରେ ପହଞ୍ଚିଥିଲେ। ରୁମ୍‌ଟି ଭିତରୁ ବନ୍ଦ ଥିଲା।
ମ୍ୟାନେଜର କବାଟ ବାଡ଼େଇ ଥିଲେ। କିନ୍ତୁ ଭିତରୁ କୌଣସି ପ୍ରତିକ୍ରିୟା ଆସି ନଥିଲା। କିଛି ସମୟ ଅପେକ୍ଷା କରିବା ପରେ ମ୍ୟାନେଜର କବାଟ ଭାଙ୍ଗି ଦେଇଥିଲେ। ପ୍ରିୟଙ୍କା ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ଘଟଣା ସଂପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲେ। ତା’ ସହିତ ପ୍ରିୟଙ୍କାଙ୍କ ଘର ଲୋକଙ୍କୁ ଜଣାଇଥିଲେ।
ଫରେନ୍‌ସିକ୍ ଟିମ୍ ସହିତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ପ୍ରିୟଙ୍କାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ପ୍ରିୟଙ୍କା ଆଇଆଇଟି କାନପୁରରେ କେମିକାଲ ଇଞ୍ଜିନିୟରିଂରେ ପିଏଚ୍‌ଡି କରୁଥିଲେ। ସେ ୨୦୨୩ ଡିସେମ୍ବର ୨୯ରେ ଏଠାକୁ ଆସିଥିଲେ।
ମାସେ ଭିତରେ କାନପୁର ଆଇଆଇଟିରେ ଏହା ହେଉଛି ଏପରି ତୃତୀୟ ଘଟଣା। ଗତ ମାସ ୧୯ ତାରିଖରେ ଏଠାରେ ପଲ୍ଲବୀ ଚିଲ୍‌କା ନାମରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ହଷ୍ଟେଲ୍‌ ରୁମ୍‌ରେ ଫ୍ୟାନ୍‌ରେ ତାଙ୍କ ମୃତଦେହ ଝୁଲି ରହିଥିଲା। ସେ ବାୟୋଲୋଜିକାଲ ସାଇନ୍ସ ଓ ବାୟୋଇଞ୍ଜିନିୟରିଂରେ ପିଏଚ୍‌ଡି କରୁଥିଲେ।

ad-week
Leave A Reply

Your email address will not be published.