ଶାମ୍ୱ ଦଶମୀରେ ଅର୍କ କ୍ଷେତ୍ରରେ ବୁଲିଲା ସୂର୍ଯ୍ୟ ରଥ…

add-all

ଭଭ

କୋଣାର୍କ : ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ହୋଇଛି ସୂର୍ଯ୍ୟ ପୂଜା। ମହିଳାମାନେ ନିଜ ପରିବାରକୁ ବ୍ୟାଧି ମୁକ୍ତ ରଖିବା ପାଇଁ ସକାଳେ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅପରାହ୍ନ ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ପୂଜା କରିଛନ୍ତି। ଏଥିସହ ସୂର୍ଯ୍ୟ ଦେବଙ୍କ ଉଦ୍ଦେଶ୍ୟରେ ସକାଳେ କାକରା ଓ ପୋଡା ପିଠା ଭୋଗ ଅର୍ପଣ କରିଥିଲେ। ମଧ୍ୟାହ୍ନରେ ଅନ୍ନ ଓ ଖିରୀ ଭୋଗ ଏବଂ ଅପରାହ୍ଣରେ ବଜ୍ର ମହାକାଳଙ୍କ ଉଦ୍ଦେଶ୍ୟରେ ଅମିଶ ଭୋଗ ଅର୍ପଣ କରିଥିଲେ।
ଆଜିର ଦିନରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ଉପାସନା ପିଠ କୋଣାର୍କରେ ଶାମ୍ବ ଦଶମୀ ଧୂମ୍‌ ଧାମରେ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ଅନନ୍ତ ଅବଧୂତ ମଠଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ପରିକ୍ରମା କରିଥିଲା। ସକାଳୁ ହୋମ୍‌ ଓ ସ୍ଵତନ୍ତ୍ର ନୀତି ପରେ ରଥରେ କଳସ ସ୍ଥାପନ ଓ ସୂର୍ଯ୍ୟ ବିଗ୍ରହଙ୍କୁ ରଥାରୂଢ କରାଯାଇଥିଲା। ତା’ପରେ ରଥ ଉପରେ କାକରା, ୧୦୮ ବରା ଓ ପୋଡ ପିଠା ଲାଗି ପରେ ମଠ ମହନ୍ତ ଛେରା ପହରା କରିଥିଲେ। ପରେ ଶତାଧିକ ଶ୍ରଦ୍ଧାଳୁ ଆନନ୍ଦା ଉଲ୍ଲାସର ସହ ରଥକୁ ଟାଣି ନେଇଥିଲେ। ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗରେ ରହିବ। ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା କରାଯାଇ ମଘ ସପ୍ତମିରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ଏହି ପବିତ୍ର ଦିନରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୌର ମହାଯଞ୍ଜ ଓ ସୂର୍ଯ୍ୟ ମନ୍ଦିର ପରିକ୍ରମା କରାଯାଇଥିଲା। ଆଜିର ଦିନରେ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ କରାଯାଇଥିଲା।
ପୌରାଣିକ ମାତାନୁସାରେ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶ୍ରାପ ଜନିତ ବ୍ୟାଧିରୁ ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗା ନଦୀରେ ସ୍ନାନ କଳା ବେଳେ ମିତ୍ରାଦିତ୍ୟ ବା ସୂର୍ଯ୍ୟ ମହାପ୍ରଭୁଙ୍କ ମଣିବିଗ୍ରହ ପ୍ରାପ୍ତ ହୋଇ ବ୍ୟାଧି ମୁକ୍ତ ହୋଇଥିଲେ। ଶାମ୍ବ ପ୍ରଥମେ ଶାକଲ୍ୟ ଦ୍ୱୀପରୁ ବ୍ରାହ୍ମଣମାନଙ୍କୁ ଆଣି ବିଗ୍ରହ ପୂଜା ଆରମ୍ଭ କରି ସୂର୍ଯ୍ୟ ରଥ ଯାତ୍ରା ଆରମ୍ଭ କରିଥିଲେ। ଯେଉଁଥିପାଇଁ ପରବର୍ତ୍ତୀ ଅବସ୍ଥାରେ ରଥାକୃତି ସୂର୍ଯ୍ୟ ମନ୍ଦିର ନିର୍ମାଣ ହୋଇଥିଲା।

ad-week
Leave A Reply

Your email address will not be published.