ଆରପାରିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ…

IMAGE_1706362432

ଯାଜପୁର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ଘଟିଛି। ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ଯାଜପୁର ବଡ଼ଚଣା ବାଲିପଡିଆ ଗାଁରେ ନୀଳମଣିଙ୍କ ଘର। ୪ ଦିନ ତଳେ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍‌ ହୋଇଥିଲା। ତାଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ଅପରାହ୍ନରେ ତାଙ୍କର ବିୟୋଗ ଘଟିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବିଶିଷ୍ଟ ବ୍ୟକ୍ତି ବିଶେଷ ମେଡିକାଲ୍‌ରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଆଜି ତାଙ୍କ ମରଶରୀରକୁ ଜନ୍ମମାଟିକୁ ନିଆଯିବ। ଆସନ୍ତାକାଲି ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ପୁଅ ଚନ୍ଦ୍ରକାନ୍ତ ସାମଲ କହିଛନ୍ତି।
ବଡ଼ଚଣା ବ୍ଲକ ବାଲିପଡିଆ ଗାଁରେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଜନ୍ମ ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଏଥିପାଇଁ ସେ ଜେଲ୍‌ ମଧ୍ୟ ଯାଇଥିଲେ। ଦେଶ ସ୍ୱାଧୀନ ହେବାପରେ ଗାନ୍ଧିଙ୍କ ବାର୍ତ୍ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ। ସେ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଥିଲେ। ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ।
ନୀଳମଣିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି, ନୀଳମଣି ସାମଲଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଲା। ନିଜର ଯୁବାବସ୍ଥାରେ ସେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ୍‌ ହୋଇ କାରାବରଣ କରିଥିଲେ। ଗାନ୍ଧିଜୀଙ୍କ ବକ୍ତବ୍ୟକୁ ନିଜର କାୟମନୋବାକ୍ୟରେ ପାଳନ କରୁଥିଲେ। ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ସମିତି ସହିତ ୧୯୬୯ ମସିହାଠାରୁ ସେ ସମ୍ପୃକ୍ତ ରହିଥିଲେ। ଗୋଟିଏ ଏମିତି ସମୟ ଆସିଲା, ସିଏ ତାହାର ନେତୃତ୍ୱ ନେଇଥିଲେ ଓ ସଭାପତି ହୋଇଥିଲେ। ସଭାପତି ଥିବା ଅବସ୍ଥା ଆଜି ତାଙ୍କର ବିୟୋଗ ଘଟିଛି। ତାଙ୍କର ଅମର ଆତ୍ମା ପ୍ରତି ଆମେ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରୁଛି। ଆଶା କରିବି ତାଙ୍କର ଜୀବନ ଆଦର୍ଶ ଆଜିର ଯୁବ ସମାଜକୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ମହତାବ କହିଛନ୍ତି।

ad-week
Leave A Reply

Your email address will not be published.