୨ ସରକାରୀ ଅଧିକାରୀଙ୍କ ସମେତ ୧୫ ଗିରଫ…

youtube

IMAGE_1707021330

ଉତ୍ତର ପ୍ରଦେଶରେ ଏକ ବଡ଼ ସାମୂହିକ ବିବାହ ସ୍କାମ ସାମ୍ନାକୁ ଆସିବା ପରେ ୨ ଜଣ ସରକାରୀ ଅଧିକାରୀଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି। ମିଛ ସାମୂହିକ ବିବାହର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଜାନୁଆରୀ ୨୫ ତାରିଖରେ ଉତ୍ତର ପ୍ରଦେଶର ବଲିୟା ଜିଲ୍ଲାରେ ଆୟୋଜିତ ହୋଇଥିଲା ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ। ଏଥିରେ ୫୬୮ ଯୋଡ଼ିଙ୍କ ବିବାହ ସମ୍ପନ୍ନ ହୋଇଥିଲା ବୋଲି ସଂପୃକ୍ତ ସରକାରୀ ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ସୋଶାଲ ମିଡିଆରେ ଏହି ସାମୂହିକ ବିବାହ କାର୍ଯ୍ୟକ୍ରମର ଭିଡିଓ ଭାଇରାଲ ହେବା ପରେ ସତ ସାମ୍ନାକୁ ଆସିଥିଲା। ସାମୂହିକ ବିବାହ ନାଁରେ ହୋଇଥିଲା ବଡ଼ ଘୋଟାଲା। ସରକାରୀ ଅର୍ଥକୁ ଆତ୍ମସାତ କରିବାକୁ ହୋଇଥିଲା ପ୍ରୟାସ।

ଭିଡିଓରେ ଦେଖିବାକୁ ମିଳିଛି ଅନେକ କନିଆମାନେ ନିଜକୁ ନିଜେ ବରଣମାଳା ପିନ୍ଧାଉଛନ୍ତି। ସେମାନଙ୍କ ପାଇଁ ବର ନାହାନ୍ତି। ଏମିତିକି କିଛି ବର ସେମାନଙ୍କ ମୁହଁ ଲୁଚାଇଛନ୍ତି। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ସେହି ବର ଓ କନିଆମାନଙ୍କୁ ଭଡ଼ାରେ ଅଣାଯାଇଥିଲା। ମିଛ କନିଆ ହେବା ପାଇଁ ମହିଳାମାନଙ୍କୁ ୫୦୦ ଟଙ୍କା ଲେଖାଏଁ ଦିଆଯାଇଥିବା ବେଳେ ବର ହେବା ପାଇଁ ପୁରୁଷମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା ବୋଲି ସ୍ଥାନୀୟ କିଛି ଲୋକ ଅଭିଯୋଗ କରିଛନ୍ତି। ଏମିତିକି ଏହି ବାହାଘର ଦେଖିବା ପାଇଁ ଆସିଥିବା କିଛି ଲୋକଙ୍କୁ ଟଙ୍କା ଦେଇ ବର ସାଜିବାକୁ କୁହାଯାଇଥିଲା। ସେମାନଙ୍କ ମଧ୍ୟରୁ କେହି କେହି ଟଙ୍କା ଲୋଭରେ ରାଜି ମଧ୍ୟ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଜେପି ବିଧାୟକ କେତକୀ ସିଂହ। ସେ କହିଛନ୍ତି, ମୋର ବି ସନ୍ଦେହ ହୋଇଥିଲା। ଏବେ ଘଟଣାର ତଦନ୍ତ କରାଯାଉଛି।

ଉତ୍ତର ପ୍ରଦେଶ ସରକାରଙ୍କ ୱେବସାଇଟ୍‌ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ସାମୂହକି ବିବାହ ପାଇଁ ଯୋଡ଼ି ପିଛା ୫୧ ହଜାର ଟଙ୍କା ଖର୍ଚ୍ଚ କରାଯାଏ। କନିଆକୁ ୩୫ ହଜାର ଟଙ୍କା ଦିଆଯାଏ। ବାହାଘର ପାଇଁ ଜିନିଷପତ୍ର କିଣିବାକୁ ୧୦ ହଜାର ଟଙ୍କା ଖର୍ଚ୍ଚ କରାଯାଏ। ବାକି ୬ ହଜାର ଟଙ୍କା ଉକ୍ତ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଏ।

ଏହି ଘଟଣାରେ ଅଭିଯୁକ୍ତମାନେ ସରକାରୀ ହଡ଼ପ କରିବା ପୂର୍ବରୁ ଧରାପଡ଼ି ଯାଇଛନ୍ତି। ତଦନ୍ତ ସରିନି। ଏକ ତିନି ଜଣିଆ କମିଟି ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆଉ କିଛି ଲୋକଙ୍କ ସଂପୃକ୍ତି ମଧ୍ୟ ଧରାପଡ଼ିପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.