ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି; ରାଜ୍ୟସଭାରେ ପ୍ରସଂଗ ଉଠାଇଲେ ବିଜେଡି ସାଂସଦ

add-all

lightning

ନୂଆଦିଲ୍ଲୀ/ଭୁବନେଶ୍ବର: ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ଦାବି ଉଠିଛି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ମଙ୍ଗଳବାର ଏହି ଦାବି ଉଠାଇଛନ୍ତି। ବଜ୍ରପାତ ଯୋଗୁଁ କେମିତି ଲୋକଙ୍କ ଜୀବନ ଯାଉଛି, ଆଇଏମଡିର ତଥ୍ୟକୁ ଉପସ୍ଥାପନ କରି ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ସେ ଦାବି ଉଠାଇଛନ୍ତି।
ବିଜେଡି ରାଜ୍ୟସଭା ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି, ଆଇଏମଡିର ତଥ୍ୟ ଅନୁସାରେ ବଜ୍ରପାତ ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ଅଢ଼େଇ ହଜାର ଲୋକଙ୍କର ମୃତ୍ୟୁ ହେଉଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୯୬% ହେଉଛନ୍ତି ଗ୍ରାମାଞ୍ଚଳର ଲୋକ, ଯେଉଁମାନେ କି କୃଷକ, ଗୋରୁ ଚରାଳି, ମତ୍ସ୍ୟଜୀବୀ ଓ ଶ୍ରମିକ। ଗତବର୍ଷର ତଥ୍ୟ ଅନୁସାରେ ଓଡିଶାରେ ସର୍ବାଧିକ ବଜ୍ରପାତ ହୋଇଛି। ପାଣିପାଗ ପରିବର୍ତ୍ତନ ଓ ଅନ୍ୟ ସବୁ କାରଣରୁ ଓଡ଼ିଶାରେ ଅଧିକ ବଜ୍ରପାତ ହେଉଛି।

ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁଁ ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ ପାଇଛି। ଓଡ଼ିଶା ସରକାର ୨୦୧୫ରେ ବଜ୍ରପାତକୁ ଷ୍ଟେଟ୍- ସ୍ପେସିଫିକ୍-ଡିଜାଷ୍ଟର ବିପର୍ଯ୍ୟୟ ଘୋଷଣା କରିଥିଲେ। ଏଥି ସହିତ ବଜ୍ରପାତ ରୋକିବା ପାଇଁ ମଧ୍ୟ ଅନ୍ୟାନ୍ୟ ପଦକ୍ଷେପ ନେଇଛନ୍ତି। ବଜ୍ରପାତରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ଦିଆଯାଉଛି। ବଜ୍ରପାତକୁ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ କ୍ଷତିଗ୍ରସ୍ତ ପରିବାର ଉପକୃତ ହେବା ସହିତ ଅଧିକ ଆର୍ଥିକ ସହାୟତା ପାଇପାରିବେ। ତେଣୁ ଏଥିପାଇଁ ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ମଙ୍ଗରାଜ ଦାବି କରିଛନ୍ତି।

ad-week
Leave A Reply

Your email address will not be published.