ଏଟିଏମ ଭ୍ୟାନରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ

add-all

କଟକ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆରେ ଏଟିଏମ ଭ୍ୟାନରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ। ଲୁଟ କରିଥିବା ଗ୍ୟାଙ୍ଗକୁ ଧରିବାକୁ ସକ୍ଷମ ହୋଇଛି କଟକ ଗ୍ରାମାଞ୍ଚଳ ପୁଲିସ। ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ୨୦୨୩ ନଭେମ୍ବର ୧୦ ତାରିଖରେ ଗ୍ୟାଙ୍ଗର ସଦସ୍ୟମାନେ ଏଟିଏମ ଭ୍ୟାନରୁ ଫିଲ୍ମ ଷ୍ଟାଇଲରେ ଲୁଟ କରିଥିଲେ।
ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ ରାସ୍ତାରେ ଟଙ୍କା ବୋଝେଇ ଏଟିଏମ ଗାଡ଼ିକୁ ବନ୍ଧୁକ ମୁନରେ ଅଟକାଇ ଅଭିଯୁକ୍ତମାନେ ୧.୬୭ କୋଟି ଟଙ୍କା ଲୁଟିଥିଲେ। ସେମାନଙ୍କ ପୁଲିସ୍‌ ଗିରଫ କରିଥିବା ବେଳେ ଲୁଟ ହୋଇଥିବା ଦେଢ଼ କୋଟିରୁ ମାତ୍ର ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି। ସେହିପରି ୭ ଜଣଙ୍କ ଠାରୁ ୩ଟି ଛୁରୀ ପୁଲିସ ଠାବ କରିଛି।
କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା ଏ ସମ୍ପର୍କରେ ସୂଚନା ଦେଇ ପୂରା ଘଟଣା ଉପରକୁ ପରଦା ହଟାଇଛନ୍ତି। ତାଙ୍କ କହିବା କଥା ଯେ ଏଟିଏମ ଗାଡ଼ିର ଦୁଇ ଜଣ କର୍ମଚାରୀ ଲୁଟ ପାଇଁ ପ୍ଲାନ୍ କରିଥିଲେ। ଅନଲାଇନ ଗେମିଂରେ ଟଙ୍କା ହରାଇଥିବାରୁ ଦୁଇ କର୍ମଚାରୀ ଏଟିଏମ ଭ୍ୟାନ ଲୁଟ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ତିଗିରିଆ ଥାନା ଅଂଚଳର ପେଶାଦାର ଅପରାଧୀ କଲିମ ଖାନକୁ ସୁପାରି ଦେଇଥିଲେ ଏଟିଏମ ଗାଡ଼ିର ଦୁଇ କର୍ମଚାରୀ।
ତେବେ ଭ୍ୟାନର ଦୁଇ ଜଣ କର୍ମଚାରୀଙ୍କୁ ପୁଲିସ୍‌ ଏଯାଏ ଧରି ପାରିନାହିଁ। ସେମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି ଓ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏଟିଏମ ଭ୍ୟାନ ଲୁଟ ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୬୪ ଲକ୍ଷରୁ ଅଧିକ ଟଙ୍କା, କିଛି ବାଇକ ଓ ୩ଟି ଛୁରୀ ଜବତ କରାଯାଇଛି। ଘଟଣାର ଅଧିକ ତଦନ୍ତ କରାଯାଉଛି। ଆଗକୁ ଗିରଫଦାରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ପାରେ। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଟଙ୍କା ନେଇ ଯାଉଥିବା ଭ୍ୟାନର ଜଣେ କର୍ମଚାରୀ ଓ ଆଉ ଗୋଟିଏ ଭ୍ୟାନର କର୍ମଚାରୀ ଅର୍ଥାତ ଦୁଇ ଜଣ କର୍ମଚାରୀ ଲୁଟ ପାଇଁ ପ୍ଲାନ କରିଥିଲେ।
ଦୁଇ କର୍ମଚାରୀ ଅନଲାଇନ ଗେମିଂ ଆପ୍‌ରେ ଅନେକ ଟଙ୍କା ହରାଇଥିଲେ। ତେଣୁ ସେମାନେ କେମିତି ହାରି ଯାଇଥିବା ଟଙ୍କାକୁ ପାଇବେ, ସେଥିପାଇଁ ଏଟିଏମ ଭ୍ୟାନ ଲୁଟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯୋଜନା ମୁତାବକ ସେମାନେ ଟଙ୍କା ଯିବା ସମୟର ସୂଚନା କଲିମ ଖାନ ନାମକ ଜଣେ ପେଶାଦାର ଅପରାଧୀକୁ ଦେଇଥିଲେ।
କଲିମ ଗ୍ୟାଙ୍ଗର ସଦସ୍ୟମାନେ ଏଟିଏମ ଭ୍ୟାନରୁ ଟଙ୍କା ଲୁଟ କରିଥିଲେ। ଗିରଫ ୭ ଜଣଙ୍କ ଘର ତିଗିରିଆର ପଙ୍କଳ ଗାଁରେ। ଲୁଟ ହୋଇଥିବା ସ୍ଥାନ ଠାରୁ ୫ କିମି ଦୂରରେ ସମସ୍ତ ଅଭିଯୁକ୍ତଙ୍କ ଘର। ଗିରଫ ୭ ଜଣଙ୍କ ମଧ୍ୟରୁ କଲିମ ଓ ତା’ର ଆଉ ଜଣେ ସହଯୋଗୀ ନାଁରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି।
ବାକି ଅଭିଯୁକ୍ତଙ୍କ ନାଁରେ କ’ଣ ସବୁ ମାମଲା ରହିଛି, ସେକଥା ଜଣାପଡ଼ିନି। ଘଟଣା ଦିନ ଏହି ୭ ଜଣ ଉପସ୍ଥିତ ରହିଥିଲେ। କିନ୍ତୁ ଲୁଟ ଷଡ଼ଯନ୍ତ୍ରରେ ଆଉ କିଛି ଲୋକଙ୍କ ଭୂମିକା ରହିଥିଲେ। ସେମାନଙ୍କୁ ଚିହ୍ନଟ କରାଯାଇ ସାରିଛି। ଖୁବଶୀଘ୍ର ଗିରଫଦାରୀ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ad-week
Leave A Reply

Your email address will not be published.