୭୫୦ ଶଯ୍ୟା ବିଶିଷ୍ଟ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଲୋକାର୍ପିତ

add-all

ଭୁବନେଶ୍ବର: ଆମେ ସମସ୍ତେ ସ୍ବାସ୍ଥ୍ୟ ପ୍ରତି ସଚେତନତା ହେବା ଜରୁରୀ। ଆମ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ କରିବା ଜରୁରୀ। ବହୁ ପ୍ରତୀକ୍ଷିତ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହା କହିଛନ୍ତି। ସେ କହିଛନ୍ତି ଯେ, ଆମେ ସୁସ୍ଥ ରହିଲେ ଓଡ଼ିଶା ସୁସ୍ଥ ରହିବ। ଓଡ଼ିଶା ପାଇଁ ନୂଆ ଯୁଗ ଆରମ୍ଭ କରିଛି ଏହି ହସ୍ପିଟାଲ। କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍‌ପିଟାଲକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଭୁବନେଶ୍ୱରରେ ପ୍ରତିଷ୍ଠିତ ଏହି କର୍କଟ ହସ୍ପିଟାଲରେ ୭୫୦ ଶଯ୍ୟା ରହିଥିବା ବେଳେ ଏହା ବାଙ୍ଗାଲୋରର ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଏକ ଶାଖା। ଏଠାରେ ସହଜ ଓ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା କରାଯିବ। ଏହି ହସ୍ପିଟାଲ କର୍କଟରୋଗ ଚିକିତ୍ସା କ୍ଷେତ୍ରରେ ସମଗ୍ର ଦେଶରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ ଯେ, ସମଗ୍ର ଦେଶରେ କର୍କଟ ରୋଗ ଦିନକୁ ଦିନ ହୁହୁ ହୋଇ ବଢ଼ିଚାଲିଛି। ଦେଶରେ ଲୋକଙ୍କ ଜୀବନ ଓ ଜୀବିକା ଉପରେ ଏହାର ପ୍ରଭାବ ସୁଦୂରପ୍ରସାରୀ ହୋଇଥିବା ବେଳେ ସମଗ୍ର ଦେଶର ସ୍ଵାସ୍ଥ୍ୟସମସ୍ୟା ଲାଗି ଏହା ଏବେ ଏକ ଆହ୍ୱାନ ଭାବେ ଉଭାହୋଇଛି। ତେବେ କର୍କଟ ରୋଗର ନିରାକରଣ ଲାଗି ସମ୍ପ୍ରତି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ଆବଶ୍ୟକ‌ତା ରହିଥିବା ବେଳେ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ ପ୍ରତିଷ୍ଠାନ ଏହାକୁ ପୂରଣ କରିବାରେ ସମର୍ଥ ହେବ ବୋଲି ଆଶା କରାଯାଉଛି। କର୍କଟ ରୋଗ ଅତ୍ୟନ୍ତ ବ୍ୟୟ ଓ ସମୟସାପେକ୍ଷ ରୋଗ ହୋଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଲାଗି ଲୋକଙ୍କୁ ସାଧାରଣତଃ ରାଜ୍ୟ ବାହାରର ବଡ଼ବଡ଼ ସହର ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଗାଁ’ଗହଳିର ଲୋକଙ୍କ ଲାଗି ବଡ଼ବଡ଼ ସହରରେ ରହି ଏହି ଚିକିତ୍ସା କରିବା ଅତ୍ୟନ୍ତ ବ୍ୟୟସାପେକ୍ଷ। ପୂର୍ବ ଭାରତରେ ଶତକଡ଼ା ୫୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ବ ରୋଗୀ ପ୍ରତିବର୍ଷ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ସେମାନେ ଚିକିତ୍ସା ଲାଗି ଦକ୍ଷିଣ କିମ୍ବା ଉତ୍ତରଭାରତର ଚିକିତ୍ସାକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ପରେ ଏହି ଅଭାବ ଦୂର କରାଯିବାକୁ ଲକ୍ଷ୍ୟ ରକ୍ଷାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.