ଦେବଗଡ଼,୧୫ା୨: ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଦେଖାଦେଇଛି । ଏଣୁ ଏହାର ପ୍ରତିବାଦରେ ଆଜି ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ଆଜି ତିଲେଇବଣି ବ୍ଲକ ସଦର ମହକୁମା ସ୍ଥିତ ତିଲେଇବଣି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଆଜି ପୂର୍ବାହ୍ନରେ ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘର ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ସମ୍ପୃକ୍ତ ଅଂଚଳର ବହୁ ଚାଷୀ ତିଲେଇବଣି ଓଭର ବ୍ରିଜ ଛକରେ ଏକତ୍ରିତ ହେବାପରେ ସରକାର ବିରୋଧୀ ବିଭିନ୍ନ ସ୍ଳୋଗାନ ସହ ଏକ ଶୋଭାଯାତ୍ରାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିଥିଲେ । ଏଥିସହ ତିଲେଇବଣି ରାଜସ୍ୱ ସର୍କଲ ଅଧିନସ୍ଥ ସମସ୍ତ ଗ୍ରାମରେ ଆଗାମୀ ତିନିଦିନ ମଧ୍ୟରେ ଉପରୋକ୍ତ ଦାବୀ ପୂରଣ ନିମନ୍ତେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ରାଜସ୍ୱ ନିରୀକ୍ଷକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଅନ୍ୟଥା ଆଗାମୀ ୧୯ ତାରିଖ ଦିନ କୃଷକ ସଂଘର୍ଷ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଲିଖୀତ ଚେତାବନୀ ଦେଇଥିଲେ । ଆଜିର ଏହି ଶୋଭାଯାତ୍ରା ଓ ଘେରାଉରେ ସଂଘର୍ଷ ସଂଘର ସମ୍ପାଦକ ଗୁଣନିଧି ବେହେରା, ସୁରେନ୍ଦ୍ର କୁମାର ସାହୁ, ଅସିତ କୁମାର ପ୍ରଧାନ, ଟେନିସ ଗୁଡିଆ ଓ କିଶୋରଙ୍କ ସମେତ ସମ୍ପୃକ୍ତ ଅଂଚଳର ବହୁ ଚାଷୀ ଓ କୃଷକ ନେତା ସାମିଲ ଥିଲେ । ଜିଲା କୃଷକ ସଂଘର୍ଷ ସଂଘର ଅଭିଯୋଗ ଅନୁଯାୟୀ ଗତ ୨୦୨୩ ମସିହା ନଭେମ୍ବର ୨୨ ତାରିଖ ଦିନ ଉପରୋକ୍ତ ୫ ଦଫା ଦାବୀ ନେଇ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଦରଖାସ୍ତ ପ୍ରଦାନ କରାଯାଇଥିଲା । ମାତ୍ର ଅଦ୍ୟାବଧି ଦାବୀ ପୁରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅନ୍ୟପକ୍ଷରେ ଜିଲାର ରାଜସ୍ୱ ନିରୀକ୍ଷକ ମାନେ ଆବେଦନକାରୀ ମାନଙ୍କ ଦରଖାସ୍ତ ଆଧାରରେ ତଦନ୍ତ ରିପୋର୍ଟ ପ୍ରଦାନରେ ବିଳମ୍ବ କରୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଏଣୁ ହାର ପ୍ରତିବାଦରେ ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଆଜି ଏଭଳି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ସଂଘର୍ଷ ସଂଘର ସଭାପତି ଶ୍ରୀ ହେମ୍ରମ ଗଣମାଧ୍ୟମ ସମ୍ମୂଖରେ ପ୍ରକାଶ କରିଛନ୍ତି ।
