ଚାଷୀ ଆନ୍ଦୋଳନ ସ୍ଥଳରେ ଚାଲିଗଲା ସବ୍‌-ଇନ୍ସପେକ୍ଟରଙ୍କ ଜୀବନ

add-all

ହରିଆଣାର ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଥମିବା ନାଁ ଧରୁନି । ଏହି ଆନ୍ଦୋଳନରେ ସାମିଲ ଚାଷୀଙ୍କ ମଧ୍ୟରୁ ଗତକାଲି ହୃଦଘାତରେ ଜଣେ ଆଖି ବୁଜିଥିଲେ। ଏହି ଘଟଣା ପରେ ଶମ୍ଭୁ ସୀମାରେ ନିୟୋଜିତ ଥିବା ଜଣେ ପୁଲିସ୍‌ ଅଧିକାରୀ ବି ଆଖି ବୁଜିଥିବା ଜଣାଯାଇଛି। ଅସୁସ୍ଥତା ହେତୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହାର ପ୍ରକୃତ କାରଣ ଜଣାପଡ଼ିଛି।

ମୃତ ସବ୍‌-ଇନ୍ସପେକ୍ଟର ହୀରାଲାଲ ବୋଲି ଜଣାଯାଇଛି। ସେ ପାନିପଥର ସମାଲଖା ଫାଣ୍ଡିରେ ମୁତୟନ ଥିବା ବେଳେ ଚାଷୀ ଆନ୍ଦୋଳନ ନିମନ୍ତେ ଶମ୍ଭୁ ବର୍ଡରରେ ତାଙ୍କୁ ମୁତୟନ କରାଯାଇଥିଲା। ସେଠାରେ ହଠାତ୍‌ ଅସୁସ୍ଥତା ଅନୁଭବ କରିବାରୁ ସାଥୀ କର୍ମଚାରୀମାନେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଛି।

ପରିବାର ସୂତ୍ରରୁ ଜଣାଯାଇଛି, ୩ -୪ ଦିନ ପୂର୍ବେରୁ ହୀରାଲାଲଙ୍କୁ ଶମ୍ଭୁ ବର୍ଡରରେ ମୁତୟନ କରାଯାଇଥିଲା। ସେଠାରେ ଡ୍ୟୁଟିରେ ବେଳେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ହୀରାଲାଲଙ୍କ ପତ୍ନୀଙ୍କର ପୂର୍ବରୁ ଦେହାନ୍ତ ହୋଇ ସାରିଥିବା ବେଳେ ଘରେ କେବଳ ତାଙ୍କର ଦୁଇ ଛୁଆ ଅଛନ୍ତି।

ଦୁଇ ଦିନ ପୂର୍ବେ ହରିଆଣାର ଶମ୍ଭୁ ସୀମାରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ଚାଷୀ ହୃଦଘାତରେ ଆଖି ବୁଜିଥିଲେ। ମୃତ ଚାଷୀଜଣକ ୬୩ ବର୍ଷୀୟ ଜିଆନ ସିଂହ ବୋଲି ଜଣାଯାଇଛି। ହରିଆଣାର ଶମ୍ଭୁ ବର୍ଡରରେ ଚାଲିଥିବା କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଓ ଋଣ ଛାଡ଼ ଭଳି ବିଭିନ୍ନ ଦାବି ନେଇ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି କୃଷକ ସଂଠଗନ। ଏଥିରେ ୨୦୦ରୁ ଅଧିକ କୃଷକ ସଂଗଠନର ୩୦ ହଜାରରୁ ଅଧିକ କୃଷକ ସାମିଲ ହୋଇଛନ୍ତି। ବିଶେଷ କରି ପଞ୍ଜାବ ଓ ହରିଆଣାରେ କୃଷକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଚାଷୀ ନେତାଙ୍କ ସହ ବାରମ୍ବାର ବୈଠକ ଡାକୁଥିଲେ ବି ସମାଧାନର ବାଟ ଫିଟି ପାରୁନି।

ad-week
Leave A Reply

Your email address will not be published.