କପି କରି ଧରାପଡ଼ିବାରୁ ଛାତ୍ରଙ୍କ ଆତ୍ମହତ୍ୟା

add-all

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୁଲିସ କହିଛି। ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୧୦୦/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରୀକ୍ଷାରେ କପି କରି ଧରାପଡ଼ିବାରୁ ଛାତ୍ର ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ସୂର୍ଯ୍ୟନଗରରେ ରହୁଥିବା କୃଷ୍ଣଚନ୍ଦ୍ର ସେଠୀ ଜଣେ ପୁଲିସ ଏସ୍‌ଆଇ। ସେ ବୈପାରୀଗୁଡ଼ାରେ କାର୍ଯ୍ୟରତ ଅଛନ୍ତି। ଏଠାରେ ତାଙ୍କର ପତ୍ନୀ ଓ ପୁଅ-ଝିଅ ରହୁଛନ୍ତି। ପୁଅ ଦେବାଶିଷ ଏକ ଘରୋଇ କଲେଜରେ ଯୁକ୍ତଦୁଇ ଶ୍ରେଣୀ(ବିଜ୍ଞାନ)ରେ ପାଠ ପଢ଼ୁଛନ୍ତି। ଯୁକ୍ତଦୁଇ ପରୀକ୍ଷା ପାଇଁ ଖଲ୍ଲିକୋଟ କଲେଜରେ ତାଙ୍କର ପରୀକ୍ଷା କେନ୍ଦ୍ର ହୋଇଛି। ଗତକାଲି ପଦାର୍ଥବିଜ୍ଞାନ ପରୀକ୍ଷା ଥିଲା। ସେ ପରୀକ୍ଷାରେ କପି କରୁଥିବା ବେଳେ ସ୍କ୍ବାଡ଼୍‌ ହାତରେ ଧରାପଡ଼ିଥିଲେ।

ଏହି ଘଟଣା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଗତକାଲି ସଂଧ୍ୟାରେ ମା’ ରିତାରାଣୀ କୌଣସି କାମରେ ବାହାରକୁ ଯାଇଥିଲେ। କିଛି ସମୟ‌ ପରେ ସେ ଘରକୁ ଫେରି ଦେଖିବା ବେଳେ ପୁଅ ଦେବାଶିଷ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହା ଦେଖି ସେ ତୁରନ୍ତ ପଡ଼ୋଶୀଙ୍କ ସହାୟତାରେ ପୁଅକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରୀକ୍ଷାରେ କପି କରି ଧରାପଡ଼ିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପୁଲିସ ଅନୁମାନ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.