ପୁଣି କେଜ୍ରିୱାଲଙ୍କୁ ସମନ; ଅଷ୍ଟମ ଥର ପାଇଁ ଡକାଇଲା ଇଡି

add-all

ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଆସିଛି ସମନ। ଦିଲ୍ଲୀ ଅବକାରୀ ନୀତିରେ ଘୋଟାଲା ମାମଲାରେ ଜେରା ପାଇଁ ଇଡି କେଜ୍ରିୱାଲଙ୍କୁ ସମନ ପଠାଇଛି। ଏହାକୁ ମିଶାଇ ଇଡି ଆଠ ଥର ସମନ ପଠାଇଲାଣି।

ଆସନ୍ତା ମାର୍ଚ୍ଚ ୪ରେ ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ପଚରାଉଚରା କରାଯିବ, କାର୍ଯ୍ୟାଳୟରେ ଆସି ହାଜର ହେବା ପାଇଁ କେଜ୍ରିୱାଲଙ୍କୁ ସମନ କରିଛି ତଦନ୍ତକାରୀ ସଂସ୍ଥା କହିଛି। 

ଏହା ପୂର୍ବରୁ କେଜ୍ରିୱାଲ ଇଡିର ସାତୋଟି ଡାକରାକୁ ଏଡ଼ାଇ ସାରିଲେଣି। ପ୍ରଥମଟି ଗତ ବର୍ଷ ନଭେମ୍ବର ୨ରେ ପଠା ଯାଇଥିଲା। ପ୍ରତ୍ୟେକ ଥର ଇଡି ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ହାଜର ହେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। 

ଫେବ୍ରୁଆରୀ ୧୭ରେ କେଜ୍ରିୱାଲ ଇଡିରେ ହାଜର ନହେବାକୁ ନେଇ ତଦନ୍ତକାରୀ ସଂସ୍ଥା କୋର୍ଟରେ ପହଞ୍ଚିଥିଲା। ଇଡି କହିଥିଲା ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମନକୁ ଏଡାଇ ଚାଲିଛନ୍ତି। ଅତି ସାମାନ୍ୟ କାରଣ ଦର୍ଶାଇ କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି, ଯାହା ଅନ୍ୟମାନଙ୍କ ପାଇଁ ନକରାତ୍ମକ ବାର୍ତ୍ତା ଦେଉଛି। 

ଏହି ଦିନ କେଜ୍ରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ବଜେଟ ଅଧିବେଶନ ଚାଲିଥିବାରୁ ସେ କୋର୍ଟରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ। କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ୍ଚ ୧୬କୁ ଧାର୍ଯ୍ୟ କରିଛନ୍ତି। ମାମଲା କୋର୍ଟରେ ଚାଲିଥିବାରୁ ଦୈନିକ ସମନ ପଠାଇବା ପରିବର୍ତ୍ତେ ଇଡି ଧୈର୍ଯ୍ୟର ସହ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ ବୋଲି ଆପ୍ କହିଛି।

ad-week
Leave A Reply

Your email address will not be published.