ଲୋଭ ଦେଖାଇ ଫସାଇଲେ ସାଇବର ଠକ; ୨୫ ଲକ୍ଷ ଠକେଇର ଶିକାର ହେଲେ ଓଡ଼ିଆ ଯୁବକ

add-all

ଅନୁଗୁଳ: ଟ୍ରେଡିଂ କରି ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଜଣେ ଯୁବକ ୨୫ ଲକ୍ଷ ଟଙ୍କା ହରାଇଛନ୍ତି। ସାଇବର ଠକମାନେ ଅତି ଚତୁରତାର ସହ ତାଙ୍କୁ ଏହି ଚୂନ ଲଗାଇଛନ୍ତି। ଏଥିନେଇ ଅନୁଗୁଳ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି।
ସୂଚନା ଅନୁସାରେ, ବଅଁରପାଳ ବ୍ଲକ୍‌ ଗୋତମରା ଗାଁର ନରେନ୍ଦ୍ର ସାହୁ(୩୦) ଗତ ଡିସେମ୍ବର ମାସରେ ହ୍ବାଟସ୍‌ଆପ୍‌ରେ ଟ୍ରେଡିଂ ସଂପର୍କିତ ଏକ ମେସେଜ ପାଇଥିଲେ। ପରେ ଏଥିରେ ଆସିଥିବା ଏକ ଲିଙ୍କ୍‌ରେ କ୍ଲିକ୍‌ କରି ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଡ଼ି ହୋଇଥିଲେ। ଏହି ଗ୍ରୁପ୍‌ରେ ତାଙ୍କୁ ଅନ୍‌ଲାଇନ୍‌ ଟ୍ରେଡିଂ ସଂପର୍କିତ ବିଭିନ୍ନ ସୂଚନା ଆସୁଥିଲା। ପରେ କିଛି ଟଙ୍କା ଲଗାଇବା ପାଇଁ ‌ଠକମାନେ ପରାମର୍ଶ ଦେଇଥିଲେ। ପ୍ରଥମେ ୫୦ ହଜାର ଟଙ୍କା ଜମା କରି ନରେନ୍ଦ୍ର ଟ୍ରେଡିଂ ଆରମ୍ଭ କରିଥିଲେ। ଧୀରେଧୀରେ ଜାନୁଆରି ଓ ଫେବ୍ରୁଆରି ମାସରେ ଏକାଧିକ ପର୍ଯ୍ୟାୟରେ ୨୫ ଲକ୍ଷ ୫୭ ହଜାର ଟଙ୍କା ଜମା କରିଥିଲେ।
ଗତ ୨୦ ତାରିଖ ବେଳକୁ ଏହି ଟଙ୍କା ଲାଭ ସହ ୧ କୋଟି ୧୮ ଲକ୍ଷ ଟଙ୍କା ହୋଇଯାଇଥିବା ତାଙ୍କ ଆକାଉଣ୍ଟରେ ଦେଖାଇଥିଲା। ଏହା ପରେ ଏଥିରୁ ଟଙ୍କା ଉଠାଇବା ପାଇଁ ‌ସେ ଚେଷ୍ଟା କରିଥିଲେ। କିନ୍ତୁ ବାରମ୍ବାର ଏହା ରିଜେକ୍ଟ ହୋଇଗଲା। ଏଥିନେଇ ନରେନ୍ଦ୍ର ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଆଡ୍‌ମିନଙ୍କୁ ଜଣାଇବା ପରେ ସେ ଲାଭର ୨୦ ପ୍ରତିଶତ ଅର୍ଥ ଅନ୍ୟ ଏକ ଆକାଉଣ୍ଟରେ ଜମା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ନକଲେ ଟଙ୍କା ଉଠିପାରିବ ନାହିଁ ବୋଲି ଜଣାଇ ଦେଇଥିଲେ। ପରେ ସେ ଗ୍ରୁପ୍‌ ମେମ୍ବରମାନଙ୍କୁ ଫୋନ୍‌ କରିଥିଲେ ମଧ୍ୟ ସମସ୍ତଙ୍କ ଫୋନ୍‌ ସୁଇଚ ଅଫ୍‌ ରହିଥିଲା। ଏହାପରେ ସେ ଠକାମିର ଶିକାର ହୋଇଥିବା ଜାଣିପାରି ପୁଲିସର ଦ୍ବାରସ୍ତ ହୋଇଛନ୍ତି। ସାଇବର ଥାନା ପୁଲିସ ୬/୨୪ରେ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.