
ଦେବଗଡ଼,୫ା୩: ରିଆମାଳ ଥାନା ତାଳକୁଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ମଧ୍ୟପୁର ଗ୍ରାମ ଖେଳପଡିଆ ନିକଟରେ ମାଟି ତଳୁ ଜଣେ ମହିଳାଙ୍କ ଗଳିତ ମୃତଦେହ ବାହାରିବା ଘଟଣାର ପର୍ଦ୍ଦାଫାଶ କରିବାରେ ରିଆମାଳ ଥାନା ପୋଲିସ ସଫଳ ହୋଇଛି । ଏହା ଏକ ହତ୍ୟା ଘଟଣା ବୋଲି ତଦନ୍ତରୁ ସ୍ପଷ୍ଟ ହେବାପରେ ପୋଲିସ ମଙ୍ଗଳବାର ହତ୍ୟାକାରୀ ପ୍ରେମିକ ସମ୍ବଲପୁର ଜିଲା କିସିଣ୍ଡା ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର ପ୍ରମୋଦ କିସାନ(୨୪) ଓ ସହଯୋଗ କରିଥିବା ପ୍ରମୋଦର ପିତା କେଶବ କିସାନ(୫୯), ମୃତା ମହିଳା ମୀନା କିସାନଙ୍କର ସମ୍ପର୍କୀୟ ଭିଣୋଇ ରିଆମାଳ ଥାନା ମଧ୍ୟପୁର ଗ୍ରାମର ଗୁରୁଚରଣ କିସାନ(୫୫) ଓ ପୁତୁରା(ଗୁରୁଚରଣର ପୁଅ)ପ୍ରଦୀପ କିସାନ(୩୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଦେବଗଡ ଜିଲା ପୋଲିସ ମୂଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି । ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ ପ୍ରାୟ ୨ ବର୍ଷ ପୂର୍ବେ ସମ୍ବଲପୁର ଜିଲା କିସିଣ୍ଡା ଥାନାଂଚଳ କେଲବଳମ ଗ୍ରାମର ଦାଶରଥୀ କିସାନଙ୍କ ସ୍ତ୍ରୀ ମୀନା କିସାନ ସହିତ କିସିଣ୍ଡା ଥାନାଂଚଳର ପ୍ରମୋଦ କିସାନଙ୍କର ପ୍ରେମ ସମ୍ପର୍କ ରହିଥିଲା । ଏହି କ୍ରମରେ ମୀନା ସ୍ୱାମୀ ଦାଶରଥୀ ଓ ୨ବର୍ଷର ଶିଶୁ ସନ୍ତାନକୁ ଛାଡି ପ୍ରେମିକ ପ୍ରମୋଦ ସହ ଘରୁ ପଳାଇଯାଇଥିଲା । ଏହାପରେ ମୀନା ଓ ପ୍ରମୋଦ ସ୍ୱାମୀ–ସ୍ତ୍ରୀ ଭାବେ ନରସିଂହପୁର ଗ୍ରାମ ସ୍ଥିତ ମୀନାଙ୍କ ବଡଭଉଣୀ ଘରେ ରହୁଥିଲେ । ପ୍ରମୋଦ କୋଇଡାରେ ଆଇରନ୍ ଟ୍ରକ ଚଳାଉଥିବା ବେଳେ ମୀନା ଅନ୍ୟ ପୁଅ ପିଲା ମାନଙ୍କ ସହିତ ଫୋନରେ କଥାବାର୍ତା ହେଉଥିବା ଜାଣିବାକୁ ପାଇବା ସହ ତାଗିଦ କରିବାରୁ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା । ଫଳରେ ପ୍ରମୋଦ ମୀନାକୁ ଆଣି ରିଆମାଳ ଥାନା ତାଳକୁଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ମଧ୍ୟପୁର ଗ୍ରାମର ସମ୍ପର୍କୀୟ ଭିଣୋଇ(ବଡବାପାଙ୍କ ଝିଅ ପଦ୍ମିନୀ କିସାନକୁ ବିବାହ କରିଥିବା)ଗୁରୁଚରଣ କିସାନ ଘରେ ରଖିବା ସହ ପୁଣିଥରେ ଗାଡି ଚଳାଇବା ପାଇଁ କୋଇଡା ଚାଲିଯାଇଥିଲା । ଗତ ଫେବୃୟାରୀ ୧୨ ତାରିଖ ଦିନ ପ୍ରମୋଦ ମଧ୍ୟପୁର ଗ୍ରାମକୁ ଆସି ମୀନାଙ୍କ ସହିତ ରହିଥିଲା । ମାତ୍ର ମୀନା ପୂର୍ବ ଭଳି ଅନ୍ୟ ପୁଅ ପିଲା ମାନଙ୍କ ସହିତ କଥାବାର୍ତା କରୁଥିବା ଦେଖି ତାଗିଦ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାତିରୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ପ୍ରମୋଦ ମୀନାଙ୍କୁ ଜୀବନରେ ମାରିଦେବାକୁ ଯୋଜନା ପ୍ରସ୍ତୁତ କରିଥିଲା । ଏହି ଯୋଜନା ଅନୁଯାୟୀ ଗତ ଫେବୃୟାରୀ ୨୩ ତାରିଖ ରାତ୍ରୀ ପ୍ରାୟ ୧୧ଟା ୩୦ ମିନିଟରୁ ୧୨ ଟା ମଧ୍ୟରେ ପ୍ରମୋଦ ଶୋଇବା ଘରେ ମୀାନଙ୍କ ଗଳାକୁ ଏକ ଶାଲରେ ଗୁଡାଇ ୩ଟି ଗଂଠି ପକାଇଦୋବରୁ ଘଟଣା ସ୍ତଳରେ ହିଁ ମୀନାଙ୍କର ମୃତ୍ୟୁ ଘଟିଥିଲା ।ମୀନାଙ୍କ ମୃତ୍ୟୁପରେ ହତ୍ୟାକାରୀ ପ୍ରେମିକ ପ୍ରମୋଦ କିସାନ, ପ୍ରମୋଦର ପିତା କିସିଣ୍ଡା ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର କେଶବ କିସାନ, ମୀନାଙ୍କ ସମ୍ପର୍କୀୟ ଭିଣୋଇ ମଧ୍ୟପୁର ଗ୍ରାମର ଗୁରୁଚରଣ କିସାନ ଓ ଗୁରୁଚରଣଙ୍କ ପୁଅ ପ୍ରଦୀପ କିସାନ ମିଶି ମୃତଦେହକୁ କାନ୍ଧରେ ବୋହିନେଇ ମଧଯୟପୁର ଗ୍ରାମର ଖେଳ ପଡିଆ ନିକଟସ୍ଥ ନାଳ ପାଖରେ ଥିବା ଏକ ବୁଦା ମୂଳେ ରଖିଥିଲେ । ଏହାପରେ ପ୍ରମାଣ ନଷ୍ଟ ପାଇଁ ଉକ୍ତ ଚାରିଜଣ ଯାକ ମିଳୀତ ଭାବେ ଏକ କୁଡି ସାହାଯ୍ୟରେ ଗାତ ଖୋଳିବା ପରେ ମୀନାଙ୍କ ମୃତଦେହକୁ ପୋତି ଦେଇଥିଲେ । ତେବେ ଗତ ୧ ତାରିଖ ସକାଳେ ଉକ୍ତ ଖେଳ ପଡିଆ ନିକଟରେ ଜଣେ ଛେଳି ଚରାଳି ଛେଳି ଚରାଉଥିବା ବେଳେ ସେଠାରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିବା ଏବଂ ମାଟି ଖୋଳି କେତେକ କୁକୁର ପଚା ମାଂଶ ଖାଉଥିବା ଦେଖିବାକୁ ପାଇଥିଲେ । ପାଖକୁ ଯାଇ ଦେଖିବାରୁ ଏକଫୁଟ ଗଭୀରରେ ଏକ ଗଳିତ ମୃତଦେହ ରହିଥିବା ଓ ନିକଟରେ ଏକ ଡ୍ରେସ ଓ ଭଙ୍ଗା କାଚ ଚୁଡି ପଡିଥିବା ଦେଖିବାକୁ ପାଇ ଛେଳିଚରାଳି ଜଣକ ତାଳକୁଣ୍ଡି ପଂଚାୟତର ସରପଂଚ ଆମାର୍ସନ ହେମ୍ରମଙ୍କୁ ଜଣାଇଥିଲେ । ସରପଂଚ ଶ୍ରୀ ହେମ୍ରମ ରିଆମାଳ ଥାନା ପୁଲିସକୁ ସୂଚନା ଦେବାପରେ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସଦଳବଳେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଅଧିକ ତଦନ୍ତ ନିମନ୍ତେ ସାଂଟିଫିକ ଟିମର ସହାୟତା ନେଇଥିଲେ । ୨ ତାରିଖ ଦିନ ଏକଜିକ୍ୟୁଟିଭ ମାଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିବା ପରେ ମୀନାଙ୍କ ମା’ ଜାନକୀ ଏହା ତାଙ୍କର ଝିଅ ମୀନାଙ୍କର ବୋଲି ଚିହ୍ନଟ କରିଥିଲେ । ଫଲରେ ପୁଲିସ ଏନେଇ ଏକ ହତ୍ୟା ମାମଲା ଋଜୁକରିବା ସହ ରିଆମାଳ ଥାନା ଅଧିକାରୀ ଶ୍ରୀ ରାଉତ ଏ ଘଟଣାର ତଦନ୍ତ କରିବା ସହ ଉପରୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ । ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଓ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ମଧ୍ୟ ଉପସ୍ଥିତ ଥିଲେ ।