ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣା ଶେଷ ହେବ, ମାତ୍ର ନୟାଗଡ଼ରେ ୧୭ହଜାର ଚାଷୀ ଏବେ ବି ମଣ୍ଡିକୁ ଯାଇନାହାନ୍ତି

youtube

ନୟାଗଡ଼ : ୨୦୨୩-୨୪ ଖରିଫ ବିପଣନ ଋତୁ ପାଇଁ ଧାନ କିଣା ମାର୍ଚ୍ଚ ୩୧ସୁଦ୍ଧା ଶେଷ ହେବାକୁ ଥିବା ବେଳେ ନୟାଗଡ଼ ଜିଲ୍ଲାରୁ ଧାନ ସାଂଗ୍ରହ ଧାର୍ଯ୍ୟ ମୁତାବକ ହୋଇପାରିବ ନାହିଁ । ପଞ୍ଜୀକୃତ ପ୍ରାୟ ୧୭ହଜାର ୩୯୮ଜଣ ଚାଷୀ ମଣ୍ଡି କୁ ଯାଇନଥିବା ବେଳେ ସେମାନେ ବେପାରୀଙ୍କୁ ଧାନ ବିକ୍ରି କରୁଥିବାର ଅନୁମାନ କରାଯାଉଛି । କେତେକ ଚାଷୀ ମଣ୍ଡି ରେ ଧାନ ବିକ୍ରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କା ନମିଳିବାର ଅଭିଯୋଗ ହୋଇଛି ।
ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ମହାନ୍ତିଙ୍କ ସୂଚନା ମୁତାବକ ଜିଲ୍ଲାର ୧୫୩ ପ୍ରାଥମିକ କୃଷି ସେବା ସମବାୟ ସମିତି ଅଧିନରେ ଥିବା ୧୬୭ ଟି ମଣ୍ଡି ଖୋଲାଯାଇଛି । ଚଳିତ ବର୍ଷ ଚାଷୀଙ୍କ ଠାରୁ ୧୪,୮୪,୬୬୪ କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨,୯୭,୦୮୧ କୁଇଣ୍ଟାଲ ଧାନ କିଣା ହୋଇଛି । ଜିଲ୍ଲାର ୧୫ଜଣ ମିଲର ଧାନ କିଣାରେ ସାମିଲ ହୋଇଛନ୍ତି । ପ୍ରାୟ ୪୦,୨୨୨ଜଣ ଚାଷୀଙ୍କ ଆକାଉଣ୍ଟକୁ ଧାନ ଟଙ୍କା ପଠାଯାଇଛି । ଯେଉଁ ଚାଷୀମାନେ ଟଙ୍କା ପାଇନାହାନ୍ତି ସେମାନେ ନିଜ ବ୍ଲକର ଏଆରସିଏସଙ୍କ ନିକଟରେ ଆକାଉଣ୍ଟ ନମ୍ୱର୍ ଅପଡେଟ କରନ୍ତୁ । କେତେକ ଚାଷୀଙ୍କ ଆକାଉଣ୍ଟ ନମ୍ୱର୍ ଓ ଆଇଏଫସି ନମ୍ୱର୍ ଭୁଲ ଥିବାରୁ ଟଙ୍କା ପଠାଇବା ସମ୍ଭବ ହୋଇପାରିନାହିଁ ।
ମୁଖ୍ୟକଥା ହେଲା ନୟାଗଡ଼ ଜିଲ୍ଲାରେ ମୋଟ ୫୮,୭୨୫ଜଣ ଚାଷୀ ଧାନ ବିକ୍ରି ପାଇଁ ଯୋଗ୍ୟ ଥିଲେ । ମଣ୍ଡି ରେ ୪୧, ୩୨୭ ଜଣ ଚାଷୀ ବିକ୍ରୀ କରିଛନ୍ତି ତେଣୁ ପ୍ରାୟ ୧୭, ୩୯୭ ଜଣ ଚାଷୀଙ୍କ ଠାରୁ ଏକ ମାସରୁ କମ ସମୟ ମଧ୍ୟରେ ଧାନ କିଣାଯିବ। ବର୍ତ୍ତମାନ ଧାନକିଣା ବ୍ୟବସ୍ଥାକୁ ଦେଖିଲେ ମଣ୍ଡି କୁ ଆଉ ଚାଷୀଙ୍କ ଗହଳ ଚହଳ ଦେଖିବାକୁ ମିଳୁନାହିଁ । ତେଣୁ ମଣ୍ଡି ରେ ଧାନବିକ୍ରି କରିନଥିବା ଚାଷୀ ଆଉ ଯେ ଧାନ ବିକିବେ ତାର କୌଣସି ଗ୍ୟାରେଣ୍ଟି ନାହିଁ । ମଣ୍ଡି ଗୁଡ଼ିକରେ ମିଲର ରାଜ ଚାଲୁଛି । ମନଇଚ୍ଛା ଚାଷୀଙ୍କ ୧କୁଇଣ୍ଟାଲ ଧାନରୁ ୭ କିଲୋ କଟାଗଲା, ଚାଷୀଙ୍କ ଧାନ ମଣ୍ଡି ବାହାରେ ରହୁଥିବାରୁ ଆରଏମସି ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ । ଏଥିରେ ଅତିଷ୍ଠ ହୋଇ ଚାଷୀମାନେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ଅଳ୍ପଦାମ ରେ ଧାନବିକ୍ରି କରୁଛନ୍ତି ।

Leave A Reply

Your email address will not be published.